ଦୁନିଆ କ’ଣ ଜାଣିବା ଆଗରୁ ଅନାଥ ହୋଇଗଲା ୧୦ ବର୍ଷର ନାବାଳକ : ବାପା ପରେ କିଡନୀ ରୋଗରେ ଆର ପାରିକୁ ଚାଲିଗଲା ମା’

ଭଙ୍ଗା-ଦଦରା ଘରେ ଏକୁଟିଆ ପଡିରହିଛି ୧୦ ବର୍ଷର ପୂର୍ଣ୍ଣ ଗୌଡ, କିଏ ହେବ ସାହା ଭରସା

78

କନକ ବ୍ୟୁରୋ : ଜୀବନ ଜାଣିବା ପୁର୍ବରୁ ବାପ ମାଆ ଛେଉଣ୍ଡ ହୋଇଗଲା ୧୦ ବର୍ଷର ନାବାଳକ । ପରିବାର ତାକୁ ଛାଡିଦେଲେ ଆଉ କେହି ନାହିଁ । ଆଗକୁ ଲମ୍ବା ଜୀବନ । କିଏ କରିବ ତାକୁ ଆପଣାର ? କେମିତି ବଂଚିବ ଜୟପୁର ନିକଟ ଗଉଡଗୁଡାର ପୂର୍ଣ୍ଣ ଗଉଡ । ଭଙ୍ଗା ଦଦରା ଘରେ ଏକାକୀ ନିଜକୁ ନିଜେ ପଚାରୁଛି ତାର କେଉଁ ଭୁଲ ଯୋଗୁଁ ମା’କୁ ତାଠାରୁ ଛଡାଇ ନେଲେ ଠାକୁର ।

ଆଖିରେ ଅନେକ ପ୍ରଶ୍ନ । କ’ଣ ତାର ଭୁଲ ଥିଲା । କାହିଁକି ତାକୁ ମାଆ ଛାଡି ଆର ପାରିକୁ ଚାଲିଗଲା । ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜିପାଉନି ଜୀବନକୁ ବୁଝିବା ଆଗରୁ ଅନାଥ ହୋଇଯାଇଥିବା ପୂର୍ଣ୍ଣ ଗଉଡ । କିଡନୀ ରୋଗରେ ମାଆର ମୃତ୍ୟୁ ପରେ ସଂପୂର୍ଣ୍ଣ ଏକାକି ହୋଇପଡିଛି ପୂର୍ଣ୍ଣ । ଏକୁଟିଆ ଭଙ୍ଗା ଦଦରା ଘରେ ଆଖିରୁ ଲୁହ ଗଡ଼ାଇ ଦୁନିଆକୁ ଅନାଉଛି, ଦୁଃଖରେ କଥା ବି ଠିକରେ କହି ପାରୁନାହିଁ ।

ଦାରଦ୍ର୍ୟକୁ ସାଥି କରି ଦଦରା ଏଜୱେଷ୍ଟ ଘରେ ଚଳୁଥିଲା ପାର୍ବତୀ ଗଉଡ଼ ଓ ତାର ୧୦ ବର୍ଷର ପୁଅ ପୁର୍ଣ୍ଣ । ହେଲେ କିଡନୀ ରୋଗରେ ପାର୍ବତୀ ଆଖି ବୁଜିବା ପରେ ଏକୁଟିଆ ପଡିଯାଇଛି ପୂର୍ଣ୍ଣ । ୧୦ ବର୍ଷ ପୂର୍ବରୁ ବାପା ଓ ଏବେ ମାଆ କିଡନୀ ରୋଗରେ ଆରପାରିକୁ ଚାଲିଯାଇଛି । ପୂର୍ଣ୍ଣର ସାହା ହେବାକୁ କେହି ନାହିଁ । ଗ୍ରାମାଚଂଳର ବିକାଶ ପାଇଁ ସରକାରଙ୍କ ମାଳମାଳ ଯୋଜନା ପୁର୍ଣ୍ଣ ପରିବାରକୁ ଛୁଇଁ ପାରି ନାହିଁ । ଏବେ ସବୁଠି ବଡ ପ୍ରଶ୍ନ ମାବାପା ଛେଉଣ୍ଡ ପୂର୍ଣ୍ଣ ବଂଚିବ କେମିତି ।