ସଫଳତାର ସହ ୧୦ ବର୍ଷ ପୂରଣ କଲା କନକ ନ୍ୟୁଜ । ବାର୍ଷିକ ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ସୋସିଆଲ ମିଡ଼ିଆରେ ‘କନକ ନ୍ୟୁଜ୍’ ବହୁତ ପ୍ରଭାବଶାଳୀ

ରାଜ୍ୟର ନମ୍ବର ୱାନ ଖବରକାଗଜ ସମ୍ବାଦର ଆଜି ୩୫ତମ ଜନ୍ମଦିନ

303

କନକ ବ୍ୟୁରୋ: ଦୈନିକ ଖବରକାଗଜ ‘ସମ୍ବାଦ’ ୩୫ ତମ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ କନକ ନ୍ୟୁଜକୁ ପୂରିଛି ୧୦ ବର୍ଷ । ସାଧାରଣ ଲୋକଙ୍କ କଥାକୁ ଟିଭି ପରଦାରେ ଆଣିଛି କନକ ନ୍ୟୁଜ । ଗୋଟିଏ ଦଶନ୍ଧିର ଯାତ୍ରା ପୂରଣ କରିଛି ଏହି ବୈଦ୍ୟୁତିକ ଗଣମାଧ୍ୟମ । ଏହି ଅବସରରେ ଆଜି ସକାଳ ୧୦ଟାରୁ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେହିଭଳି ଓଡିଶାର ବିକାଶ ନେଇ ଏକ ପ୍ୟାନେଲ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ଓ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ସାମିଲ ହୋଇଛନ୍ତି ।

 

ତେବେ ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟାନାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ, ‘ଆଜିର ଦିନଟି ସମ୍ବାଦ ପରିବାର ପାଇଁ ଅତ୍ୟନ୍ତ ସ୍ମରଣୀୟ । କାହିଁକି ନା ଆଜିର ଦିନରେ ସମ୍ବାଦ ଜନ୍ମଲାଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ରେଡିଓ ଚକଲେଟ୍ ଏବଂ ଆଜିର ଦିନରେ ତଥା ୧୦ ବର୍ଷ ତଳେ କନକ ନ୍ୟୁଜର ଜନ୍ମ ହୋଇଥିଲା । କନକ ନ୍ୟୁଜ ତରଫରୁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ସହ ଘୋଷଣା କରିବାକୁ ଚାହେଁ କି କନକ ନ୍ୟୁଜକୁ ସମ୍ବାଦ ପରିବାରରେ ଜନ୍ମଦେଲେ । ୧୦ ବର୍ଷ ତଳେ ସମ୍ବାଦ ପରିବାରରେ କନକ ନ୍ୟୁଜ ଜନ୍ମଲାଭ କରିଥିବା ଅତ୍ୟନ୍ତ ଭାଗ୍ୟବାନ ସାବିତ ହୋଇଛି । ଗୋଟିଏ ଗଣମାଧ୍ୟମର ସାନ ଭଉଣୀ ହିସାବରେ ଆଜିର ଯୁଗରେ ବଂଚିରହିବା ପାଇଁ କେତେ ସଂଗ୍ରାମ କରିବାକୁ ପଡେ ତାହା ସମସ୍ତଙ୍କୁ ଜଣା କିନ୍ତୁ ସମ୍ବାଦ ପରିବାରରେ କନକ ନ୍ୟୁଜ ଜନ୍ମଲାଭ କରି ନଥିଲେ ହୁଏତ ଆଜି ଆମେ ୧୦ ବର୍ଷର ମହତ୍ୱକାଂକ୍ଷୀ ଶିଶୁ ହିସାବରେ ଆପଣମାନଙ୍କ ଆଗରେ ଦଣ୍ଡାୟମାନ ହୋଇପାରି ନଥାନ୍ତା ବୋଲି ମତ ପ୍ରକାଶ କରିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ଇଶ୍ୱରଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବାଦ ପରିବାରର ସବୁ ସଭ୍ୟ ସଭ୍ୟାଙ୍କୁ ଅଭିନନ୍ଦନ ଏବଂ କୃତଜ୍ଞତା ଜଣାଇଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ ।

ଅନ୍ୟପକ୍ଷରେ ସମ୍ବାଦ ଓ କନକ ନ୍ୟୁଜର ଜନ୍ମଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ନିଜ ଅଭିଭାଷଣରେ କହିଛନ୍ତି ଯେ.ବର୍ତମାନ ଯୁଗରେ ଏତେ ସମୟ ଧରି ଗୋଟିଏ ପରିବାର ଯେଉଁଠି ତିଷ୍ଠି ପାରୁନି, ସେଠି ଏତେ ବଡ ସଂସ୍ଥାକଚ ପରିବାର ଭଳି ଚଳାଇବା ପ୍ରଶଂସନୀୟ କାର୍ଯ୍ୟ । ସଠିକ ସମୟରେ ସଠିକ ଖବର ପହଚାଁଉଛି ସମ୍ବାଦ । ଖବରର ମୂଳ ତତ୍ୱକୁ ସହଜରେ ବୁଝାଇବାରେ ସବୁଠାରୁ ଆଗରେ ରହିଛି ସମ୍ବାଦ । ସୋସିଆଲ ମିଡିଆରେ କନକ ନ୍ୟୁଜ ବେଶ ପ୍ରଭାବଶାଳୀ ହୋଇପାରିଛି । ତେବେ ସମ୍ବାଦ ଓ କନକ ନ୍ୟୁଜ ଲୋକଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।