ଭାରତୀୟଙ୍କ ପାଇଁ ଖୁସିଖବର ! ୨୦୧୯ରେ ୧୦% ବଢିପାରେ କର୍ମଚାରୀଙ୍କ ଦରମା, ଏସିଆ ମହାଦେଶରେ ସର୍ବାଧିକ

34

ନିଜର ଦରମା ବଢାଇବାକୁ କିଏ ବା ଚାହାନ୍ତି ନାହିଁ । ତା ଛଡା ଏବେ ଯେଉଁଭଳି ଭାବେ ପ୍ରତ୍ୟେକ ଜିନିଷ ମହଙ୍ଗା ହେଉଛି ଠିକ୍ ସେହିଭଳି ଦରମାରେ ମଧ୍ୟ ବୃଦ୍ଧି ହେଉ ବୋଲି ପ୍ରତି କର୍ମଚାରୀ ଚାହୁଁଛନ୍ତି ।କିଛି କ୍ଷେତ୍ରରେ ମାଲିକ କର୍ମଚାରୀଙ୍କ କଥା ଶୁଣୁଥିବା ବେଳେ ଆଉ କିଛି କମ୍ପାନିରେ କର୍ମଚାରୀଙ୍କୁ ନିରାଶ ହେବାକୁ ପଡୁଛି । ତେବେ ଏସବୁୁ ଭିତରେ ଭାରତୀୟଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଆଗାମୀ ୨୦୧୯ରେ ଭାରତରେ କର୍ମଚାରୀଙ୍କ ଦରମାରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ଘଟିବ । ଆଉ ଏହି ହାରରେ ଦରମା ବୃଦ୍ଧି ମଧ୍ୟ ଏସିଆରେ ସର୍ବାଧିକ ରହିବ । ଏଭଳି ଆକଳନ କରିଛି ଲଣ୍ଡନର ୱିଲ୍ସ ଟାୱାର୍ସ ୱାଟସନ ନାମକ କମ୍ପାନି । କମ୍ପାନିର କହିବା ଅନୁଯାୟୀ, ଇଣ୍ଡୋନେସିଆରେ ୮.୩%, ଚୀନରେ ୬.୯%,ଫିଲିପାଇନ୍ସରେ ୬%, ହଂକଂ ଏବଂ ସିଙ୍ଗାପୁରରେ ୪ ପ୍ରତିଶତ ଦରମା ବୃଦ୍ଧି ପାଇବ । ଖାସକରି ଫାର୍ମାସୀ ସଂସ୍ଥା ସହ ଜଡିତ କର୍ମଚାରୀଙ୍କ ଦରମା ସର୍ବାଧିକ ୧୦.୩% ବୃଦ୍ଧି ପାଇବ । ରିଟେଲ, କେମିକାଲ ସଂସ୍ଥା, ଖାଉଟି ସଂସ୍ଥାରେ ଜଡିତ କର୍ମଚାରୀଙ୍କ ଦରମା ୧୦% ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ ।

ୱିଲ୍ସ ଟାୱାର୍ସ ୱାଟସନର ଏସିଆ ମୁଖ୍ୟଙ୍କ କହିବା ଅନୁଯାୟୀ, ଅନ୍ୟ ଦେଶ ତୁଳନାରେ ଭାରତୀୟ କର୍ମଚାରୀଙ୍କ ଦରମା ବିଗତ ବର୍ଷ ଗୁଡିକରେ ମଧ୍ୟ ବଢି ଆସିଛି । ଏହାଦ୍ୱାରା ଦେଶର ଅର୍ଥନୀତି ସୃଦୃଢ ହେବା ସହ ଦେଶର ପ୍ରଗତି ମଧ୍ୟ ଆଗେଇ ଚାଲିଛି । ଏହାଛଡା ମ୍ୟାନେଜମେଣ୍ଟରେ ଥିବା ଉଚ୍ଚପଦସ୍ତ କର୍ମଚାରୀ ମାନଙ୍କ ଦରମା ୯.୮ ପ୍ରତିଶତ ବଢିବାକୁ ଥିବା ବେଳେ ଅନ୍ୟ ମାନଙ୍କ ଦରମା ୧୦ ପ୍ରତିଶତ ବଢିପାରେ ।