ଶିଶୁ ଦିବସରେ ଆଜି ସ୍କୁଲ ପିଲାଙ୍କୁ ମନର କଥା କହିବେ ନବୀନ ! ଏଫଏମ-ଦୂରଦର୍ଶନ, ଟିଭି ଚ୍ୟାନେଲ ଓ କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ

226

କନକ ବ୍ୟୁରୋ: ଆଜି ଶିଶୁ ଦିବସରେ ରାଜ୍ୟର ଶିଶୁମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ ମନର କଥା । ପ୍ରାୟ ୫ ହଜାର ପିଲାଙ୍କୁ ସିଧାସଳଖ ଶପଥ ପାଠ କରାଇବେ ନବୀନ । ଭୁବନେଶ୍ୱର କ୍ୟାପିଟାଲ୍ ହାଇସ୍କଲ ପଡ଼ିଆରୁ ଏହାର ସିଧାପ୍ରସାରଣ ହେବ । ଦୂରଦର୍ଶନ ସହ ଅନ୍ୟାନ୍ୟ ଘରୋଇ ଟିଭି ଚ୍ୟାନେଲ୍, ଏଫ୍ଏମ୍ ରେଡିଓରେ ଏହାର ସିଧାପ୍ରସାରଣ କରାଯିବ । ସବୁ ସ୍କୁଲ କର୍ତୃପକ୍ଷ ଏଥିପାଇଁ ଗାଁରେ ସେଟ୍ ଟପ୍ ବକ୍ସଯୁକ୍ତ ଟିଭି ଲଗାଇବେ ଓ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଖାଇବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଦିନ ୧୧ଟା ୧୫ରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ରହିବେ । ଏଥିପାଇଁ ପ୍ରତି ଜିଲ୍ଲାରେ ଅନ୍ତତଃ ୧୨ଶହ ପିଲା ଏଥିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ହେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଅଭିଭାବକମାନଙ୍କୁ ନେଇ ଗାଁରେ ସେଟ୍ ଟପ୍ ବକ୍ସଯୁକ୍ତ ଟିଭି ଲଗାଇବେ ଓ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଖାଇବାର ବନ୍ଦୋବସ୍ତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବିଜେଡି ସରକାରର ୧୭ ବର୍ଷ ଶାସକ କାଳରେ ପ୍ରଥମ ଥର ଲାଗି ଶିଶୁ ଦିବସକୁ ଏଭଳି ଅଭିନବ ଢଙ୍ଗରେ ପାଳନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ବିଜେଡି ନେତା, ମନ୍ତ୍ରୀ, ବିଧାୟକ ଓ ପ୍ରଶାସକ। ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ପଞ୍ଚାୟତ ବିଦ୍ୟାଳୟଗୁଡ଼ିକରେ କିଭଳି ବାର୍ତା ପହଞ୍ଚିବ ସେଥିପାଇଁ ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି । ଯେଉଁ ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ବିଜୁଳି ପହଞ୍ଚିପାରି ନ ଥିଲା ସେଠାରେ ରାତାରାତି ଆଲୋକୀକରଣ ହୋଇଛି । ପ୍ରତି ବିଦ୍ୟାଳୟରେ ୧୫୦ରୁ ୨୦୦ ଦର୍ଶକ ବସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବା ଭଳି ପ୍ରୋଜେକ୍ଟରର ବ୍ୟବସ୍ଥା ହୋଇଛି । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ସବୁଠି ତତ୍ପରତା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଖ୍ୟାକୁ ଦେଖି ବ୍ୟବସ୍ଥା କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି ରାଜ୍ୟସ୍ତରୀୟ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରତି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଜଣେ ବି ପିଲା ଯେପରି ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ବି ଗୁରୁତ୍ୱ ଦିଆଯିବ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସ୍କୁଲ ଡାଏରି’ ମଧ୍ୟ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଉତ୍ସବ ସ୍ଥଳ ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି ।

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଦୁଇ ଘଣ୍ଟା ଧରି ଏହି ଉତ୍ସବ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଅଧଘଣ୍ଟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ପୂର୍ବାହ୍ଣ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ଉତ୍ସବକୁ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୧୩ ମିନିଟ୍ ଧରି ନୃତ୍ୟ ଏବଂ ସଙ୍ଗୀତ ପରିବେଷିତ ହେବ। ଏହାପରେ ପୂର୍ବାହ୍ଣ ୧୧ଟା ୩୫ରେ ୧୦ ମିନିଟ୍ ଧରି ମୁଖ୍ୟମନ୍ତ୍ରୀ ନିଜର ମନର କଥା କହିବେ । ମଧ୍ୟାହ୍ନ ୧୨ଟାରେ ଟେଲିଭିଜନରେ ପ୍ରସାରଣ ବନ୍ଦ କରାଯିବ । ମଧ୍ୟାହ୍ନ ୧୨ଟା ୧୩ରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳ ଛାଡ଼ିବେ । ଏହାର ୧୭ ମିନିଟ୍ ପରେ ଉତ୍ସବ ଉଦଯାପିତ ହେବ ।

ଏକା କହିବେ ନବୀନ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଉଦ୍‌ବୋଧନ ଦେବେ। କୌଣସି ମନ୍ତ୍ରୀ, ନେତା କିମ୍ବା ସଚିବ ଭାଷଣ ଦେବେ ନାହିଁ। ପୂର୍ବାହ୍ଣ ୧୧ଟା ୩୫ରୁ ୧୧ଟା ୪୫ ପର୍ୟ୍ୟନ୍ତ ୧୦ ମିନିଟ୍ ଧରି ନବୀନ କହିବେ ମନର କଥା। ଏହି ଭାଷଣ ଉପରେ ସାରା ଓଡ଼ିଶାବାସୀଙ୍କ ନଜର ରହିଛି । ଓଡ଼ିଆ କିମ୍ବା ଇଂରାଜି ଭାଷାରେ କହିବେ ତାହାକୁ ଚାହିଁ ରହିଛନ୍ତି ସମସ୍ତେ। ପ୍ରାୟ ଏକ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳରେ ରହିବେ। ୨୦ ମିନିଟ୍ ଧରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ନବୀନ।

ଓଡ଼ିଶୀ ନାଚିବେ ୮୦ ଶିଳ୍ପୀ

ଉତ୍ସବ ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନେ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ଦୁଇଟି ନୃତ୍ୟ ପରିବେଷଣ କରିବେ । ‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ଥିମ୍‌ରେ ୬ ମିନିଟର ଏକ ନୃତ୍ୟ ପରିବେଷିତ ହେବ । ଏହାପରେ ଓଡ଼ିଶାର ସଂସ୍କୃତି କିଭଳି ପୁରାତନରୁ ବର୍ତମାନ ପର୍ଯ୍ୟନ୍ତ ଅଗ୍ରଗତି କରିଛି ତାହାକୁ ଆଧାର କରି ୮ ମିନିଟର ଏକ ନୃତ୍ୟକୁ ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିବେ । ଉଭୟ ନୃତ୍ୟରେ ୮୦ ଜଣ ଶିଳ୍ପୀ ନୃତ୍ୟ ପରିବେଷଣ କରିବେ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି । ଉତ୍ସବ ଅବସରରେ ୮ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।

ଅପରାହ୍ଣରେ ହେଲା ଅଭ୍ୟାସ

ସୋମବାର ଅପରାହ୍ଣରେ ମଞ୍ଚରେ ପୂର୍ବାଭ୍ୟାସ କରାଯାଇଥିଲା । ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ପ୍ରିନ୍ସି ଡ୍ୟାନ୍ସ ଗ୍ରୁପର ସଦସ୍ୟମାନେ ଆକର୍ଷଣୀୟ ନୃତ୍ୟ ଅଭ୍ୟାସ କରିଥିଲେ । ଅପରାହ୍ଣ ପ୍ରାୟ ୩ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ନୃତ୍ୟ ଅଭ୍ୟାସ ଚାଲିଥିଲା । ଏମାନଙ୍କ ବ୍ୟତୀତ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ସତ୍ୟଜିତ୍ ମଧ୍ୟ ଉତ୍ସବର ଆକର୍ଷଣ ପାଲଟିବେ । ତେଣୁ ସେମାନେ ବି ଅଭ୍ୟାସ କରିଛନ୍ତି ।

ସୁଦର୍ଶନଙ୍କ ବାଲୁକା କଳା

ଶିଶୁଦିବସର ଅବ୍ୟବହିତ ପୂର୍ବରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ସବସ୍ଥଳରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ପର୍ଯ୍ୟଟନ ବିଭାଗ ସହାୟତାରେ ‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ଥିମ୍ ଲୋଗୋକୁ ବାଲୁକା କଳାରେ ସ୍ଥାନିତ କରାଯାଇଛି । ଏହି ଚମତ୍କାର ବାଲୁକାକଳା ସମସ୍ତଙ୍କ ଆକର୍ଷଣ ପାଲଟିଛି ।