ଛତିଶଗଡ ବିଜାପୁରରେ ଏନକାଉଣ୍ଟର ! ଗଡିଲା ୧୦ ନକ୍ସଲଙ୍କ ମୁଣ୍ଡ, ଜାଣନ୍ତୁ କେମିତି ଥିଲା ଘନ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ ।

145

କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ବଡ ଧରଣର ଏନକାଉଂଟର । ଭୈରମଗଡ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟରେ ୧୦ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସଟିଏଫ ଓ ଡିଆରଜି ଯବାନଙ୍କ ଗୁଳିରେ ୧୦ ନକ୍ସଲ ନିହତ ହୋଇଥିବା ବେଳେ ସେମାନଙ୍କ ପାଖରୁ ୧୧ଟି ବନ୍ଧୁକ ଜବତ ହୋଇଛି । ଏହା ସହ ନକ୍ସଲମାନଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏନେଇ ବିଜାପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି ।

ଦୀର୍ଘଦିନର ନିରବତା ପରେ ପୋଲିସକୁ ମିଳିଛି ଏକ ବଡ ସଫଳତା । ବିଜାପୁର ଏସପି ମୋହିତ ଗର୍ଗଙ୍କ ସୂଚନା ଅନୁଯାୟୀ, ଆଜି ଛତିଶଗଡ ବିଜାପୁରର ଭୈରମଗଡ ଜଙ୍ଗଲରେ ନକ୍ସଲ ମାନଙ୍କର ଏକ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଟପ୍ ମାଓ କ୍ୟାଡରମାନେ ଏକତ୍ରିତ ହୋଇଥିଲେ । ତେବେ ମାଓବାଦୀ ମାନଙ୍କର ଏହି ଶିବିର ନେଇ ବିଜାପୁର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଆକ୍ସନ । ପୁରା ଜଙ୍ଗଲକୁ ଏସଟିଏଫ ଏବଂ ଡିଆରଜି ଯବାନମାନେ ଘେରି ଯାଇଥିଲେ ।

ତେବେ ଯବାନମାନଙ୍କ ଆକ୍ସନ ଖବରକୁ ବାରି ନେଇଥିଲା ମାଓ ସଂଗଠନ । ଆଉ ଏହା ପରେ ଆରମ୍ଭ ହୋଇଥିଲା ଗୁଳିବର୍ଷଣ । ପ୍ରଥମେ ମାଓବାଦୀମାନେ ଗୁଳିବର୍ଷଣ କରିଥିଲେ । ଆଉ ଏହାର ପ୍ରତିଉତ୍ତର ମଧ୍ୟ ଦେଇଥିଲେ ଏସଟିଏଫ ଏବଂ ଡିଆରଜି ଯବାନ । ପାଖାପାଖି ୧ ଘଣ୍ଟା ଧରି ଚାଲିଥିଲା ଗୁଳିଚାଳନା । ଆଉ ଶେଷରେ ଗୁଳିବିନିମୟରେ ଗଡିଲା ୧୦ ମାଓବାଦୀଙ୍କ ମୁଣ୍ଡ । ଆଉ ସେମାନଙ୍କ ପାଖରୁ ସୁରକ୍ଷାକର୍ମୀ ୧୧ଟି ବନ୍ଧୁକ ମଧ୍ୟ ଜବତ କରିଛନ୍ତି । ଏହା ସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିବା ଜଣାପଡିଛି । ତେବେ ଏହି ଗୁଳିବିନିମୟରେ କୌଣସି ଯବାନ ଆହତ ହୋଇନଥିବା ବିଜାପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ଦୀର୍ଘ ଦିନ ପରେ ପୋଲିସକୁ ଏକ ବଡ ସଫଳତା ଆଣିଦେଇଛି ।