ଅପରେସନ କୋବ୍ରା ! ଧାମନଗରରେ ଶିଳପୂଆ ତଳୁ ୧୦ ନାଗଛୁଆ ଉଦ୍ଧାର, ୨ ଦିନରେ ଧରାପଡ଼ିଲେଣି ୧୫୦ ନାଗ

35

କନକ ବ୍ୟୁରୋ : ଧାମନଗରରୁ ନାଗଛୁଆ ଉଦ୍ଧାର । ପାଇକସାହିରେ ରହୁଥିବା ବିଜୟ ଭୂୟାଁଙ୍କ ଘରୁ ୧୩୨ଟି ନାଗସାପ ଉଦ୍ଧାର ପରେ ଆଜି ପୁଣି ଧାମନଗର କଂଟାବଣିଆ ଗାଁର ଗୌରାଙ୍ଗ ଜେନାଙ୍କ ଘରୁ ୧୦ରୁ ଅଧିକ ନାଗଛୁଆଙ୍କୁ ଉଦ୍ଧାର କରାଯାଇଛି । ମାଟିଘରେ ଥିବା ଏକ ଶିଳପୂଆ ତଳେ ଥିବା ଗାତ ଭିତରେ ଏହି ନାଗଛୁଆମାନେ ଥିଲେ । ଘର ମାଲିକଙ୍କ ପୁଅ ଏହି ନାଗଛୁଆମାନଙ୍କୁ ଧରିଥିଲେ । ଗାତ ଭିତରେ ଅଧିକ ନାଗ ସାପ ଥିବା ଅନୁମାନ କରାଯାଉଛି । ନାଗ ସାପଙ୍କୁ ଉଦ୍ଧାର କରିବା ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟଙ୍କୁ ଖବର ଦିଆଯାଇଛି ।

ଭଦ୍ରକର ଗୋଟିଏ ପରେ ଗୋଟିଏ ଗାଁରେ ନାଗ ସାପ ଉଦ୍ଧାର କରାଯାଉଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକାଥରକେ ଏତେ ସଂଖ୍ୟକ ନାଗ ସାପ ବାହାରୁଥିବାରୁ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘରେ ମଧ୍ୟ ଲୋକ ନିଜକୁ ନିରାପଦ ମଣୁନାହାନ୍ତି । ଧାମନଗରର ନାଗବଂଶ କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପାଇକସାହିର ବିଜୟ ଭୂୟାଁଙ୍କ ଘରେ ଥିବା ଉଇ ହୁଙ୍କା ମଧ୍ୟରୁ ୧୩୨ଟି ନାଗସାପ ଉଦ୍ଧାର କରାଯାଇଥିଲା ।