ରାଜ୍ୟସଭାରେ ପାରିତ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍ ! ନିର୍ବାଚନୀ ବାଉଣ୍ଡରୀ ପାର୍ କରିବାକୁ ମୋଦି ମାରିଲେ ସବର୍ଣ୍ଣ ସିକ୍ସର !

550

କନକ ବ୍ୟୁରୋ : ଦୀର୍ଘ ଆଲୋଚନା ପରେ ରାଜ୍ୟସଭାରେ ପାରିତ ହେଲା ସବର୍ଣ୍ଣକୁ ୧୦% ସଂରକ୍ଷଣ ବିଲ୍ । ଏହି ଐତିହାସିକ ବିଲ୍ ସପକ୍ଷରେ ୧୬୫ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ପଡିଛି ମାତ୍ର ୭ଟି ଭୋଟ । ଏହାପରେ ଏହି ବିଲକୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କୁ ପଠାଯିବ । ଆସନ୍ତାକାଲି ଏହି ବିଲ୍ ଲୋକସଭାରେ ପାରିତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଏହି ବିଲ ପାରିତ ହୋଇଛି । ବିଲକୁ ସିଲେକ୍ଟ କମିଟିର ବିଚାର ପାଇଁ ପଠାଇ ଦେବାକୁ ଯେଉଁ ପ୍ରସ୍ତାବ ଆସିଥିଲା ତାହା ଖାରଜ ହୋଇଯାଇଛି । ନିବାର୍ଚନ ପୂର୍ବରୁ ଉଭୟ ସଦନରେ ଏହି ବିଲ ପାରିତ କରି ମାଷ୍ଟ୍ରରଷ୍ଟ୍ରୋକ ମାରିଛନ୍ତି ମୋଦି ସରକାର ।

ଏହି ବିଲ୍ ପାରିତ ହେବା ପରେ ସବର୍ଣ୍ଣ ବର୍ଗର ଆର୍ଥିକ ଗରିବ ଲୋକ ଉଭୟ ଉଚ୍ଚ ଶିକ୍ଷା ଓ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ପାଇପାରିବେ । ଏହି ବିଲ ପାରିତ ହେବା ପୂର୍ବରୁ ରାଜ୍ୟ ସଭାରେ ଆଜି ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା । ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଥିଲା । ବିଜେଡି ଏହି ବିଲକୁ ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବିଲ୍ ଆଗତର ସମୟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ମଙ୍ଗଳବାର ଏହି ବିଲ ବାଚନିକ ଭୋଟରେ ଲୋକସଭାରେ ଗୃହୀତ ହୋଇଥିଲା । ବିଲ ସପକ୍ଷରେ ୩୨୩ ଭୋଟି ପଡିଥିବାବେଳେ ବିପକ୍ଷରେ ପଡିଥିଲା ୩ଟି ଭୋଟ୍ । ତେବେ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଲକୁ ମୋଦି ସରକାର ତରବରିଆ ଭାବେ ଲାଗୁ କରାଇବାକୁ ଚାହୁଁଥିବାରୁ ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ସେହିପରି ବିରୋଧୀଙ୍କୁ ବିଶ୍ୱସକୁ ନନେଇ ଏକପାଖିଆ ଭାବେ ରାଜ୍ୟସଭା ଅଧିବେଶନର ଅବଧିକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିବାରୁ ସରକାରଙ୍କ ଉପରେ ବର୍ଷିଛନ୍ତି । ଦଳିତ ବିରୋଧୀ ଆକ୍ରୋଶ ନିରାକରଣ ଆଇନରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ସବର୍ଣ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଛି ବୋଲି ଅଭିଯୋଗ ବାଢିଛନ୍ତି ।