ସଚ୍ଚୋଟ ଦେଶଭକ୍ତଙ୍କ ହାତରେ ସହିଦ୍ ଙ୍କ ଗାଁ ମାଟି : ପୁଲୱାମା ଆକ୍ରମଣ ପରେ ଶିହରି ଉଠିଥିଲା ଏହି ଦେଶଭକ୍ତଙ୍କ ହୃଦୟ , ବର୍ଷେ ଧରି ୬୧ ହଜାର କିମି ବୁଲି ସଂଗ୍ରହ କରିଥିଲେ ସହିଦ୍ ଙ୍କ ଗାଁ ମାଟି । 

237

ବର୍ଷେ ପରେ ବି ବେଦନା ଦେଉଛି ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କ ବଳିଦାନ । ବର୍ଷେ ତଳର ସେହି ବିଭତ୍ସ ଘଟଣା ଆଜି ବି ମନକୁ ଆନ୍ଦୋଳିତ କରୁଛି । ଦେଶର ପ୍ରତିଟି ବ୍ୟକ୍ତି ବିଭିନ୍ନ ତରିକାରେ ସହିଦ୍ ଯବାନଙ୍କୁ ମନେ ପକାଉଛନ୍ତି । କାଶ୍ମୀରର ଲେଥପୋରା ସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ରେ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ବିଶେଷ ଅତିଥି ଭାବେ ଉମେଶ୍ ଗୋପିନାଥ୍ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଛି ।

ବାଙ୍ଗାଲୋର୍ ନିବାସୀ ଉମେଣ୍ ପେସାରେ ମ୍ୟୁଜିସିୟାନ୍ ଏବଂ ଫାର୍ମାକଲୋଜିଷ୍ଟ ଅଟନ୍ତି ଏବଂ ଗତ ୧ ବର୍ଷ ଧରି ସେ ସହିଦ୍ ମାନଙ୍କୁ ବିଶେଷ ରୁପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଆସୁଛନ୍ତି । ଏହି ସମୟରେ ସେ ପ୍ରତିଟି ସହିଦ୍ ଙ୍କ ଘରକୁ ଯାଇ ତାଙ୍କ ଗାଁରୁ ମୁଠାଏ ମାଟି ଏକାଠି କରି ସାଙ୍ଗରେ ନେଇ ଆସୁଥିଲେ । ଉମେଶ୍ ଗତବର୍ଷ ୧୪ ଫେବୃୟାରୀରେ ଅଜମେର୍ ରୁ ଏକ ମ୍ୟୁଜିକ୍ କନସର୍ଟ ସାରି ଘରକୁ ଫେରୁଥିବା ବେଳେ ଏୟାରପୋର୍ଟରେ ଲାଗିଥିବା ଟିଭିରେ ପୁଲୱାମା ଆକ୍ରମଣର ଖବର ଦେଖିଥିଲେ । ଏଭଳି ଛାତି ଥରାଇଲା ଭଳି ଘଟଣା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ସହିଦ୍ ଯବାନଙ୍କ ପରିବାର ପାଇଁ କିଛି କରିବାକୁ ମନସ୍ଥ କରିଥିଲେ ।

ଉମେଶ୍ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିବା ପାଇଁ ୬୧ ହଜାର କିଲୋମିଟର ଯାତ୍ରା କରିଥିଲେ । ଗତ ସପ୍ତାହରେ ତାଙ୍କର ଏହି ଯାତ୍ରା ସମାପ୍ତ ହୋଇଥିଲା ଯାହାକୁ ସେ “ତୀର୍ଥଯାତ୍ରା” ବୋଲି ମନେ କରନ୍ତି । ଯାଦବ ଅସ୍ତିକଳସ ଦେଖି କୁହନ୍ତି ଯେ , ମୁଁ ୧ ବର୍ଷ ଧରି ପ୍ରତିଟି ସହିଦ୍ ଯବାନଙ୍କ ଘର ବାହାରୁ ପବିତ୍ର ମାଟି ଏକାଠି କରିଛି । ଉମେଶ୍ ଙ୍କ ଗାଡିରେ ଦେଶଭକ୍ତିିର ସ୍ଲୋଗାନ୍ ଲେଖାଥିବା ବେଳେ ଯାତ୍ରାକାଳରେ ସେ ରାତ୍ରିଯାପନ କରିବା ପାଇଁ ନିଜ ଗାଡିରେ ହିଁ ଶୋଉଥିଲେ ।

ତାଙ୍କ ପାଖରେ ହୋଟେଲ୍ ବିଲ୍ ଦେବାପାଇଁ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ସେ ଏଭଳି କରୁଥିବା କଥା କହିଥିଲେ । ପରିଜନଙ୍କୁ ସାକ୍ଷାତ କରିବାକୁ ନେଇ ସେ କୁୁହନ୍ତି ଯେ , “ଆମେ ଏକାଠି ଖାଉଥିଲୁ ଆଉ ଏକାଠି କାନ୍ଦୁଥିଲୁ” । ପ୍ରତିଟି ସହିଦଙ୍କ ଘରୁ ମୁଠାଏ ମାଟି ଆଣିବା ବେଳେ ସେ ପ୍ରତିଥର ଭାବୁକ ହେଉଥିଲେ । ବର୍ତ୍ତମାନ ସେ ମାଟିକଳସକୁ ଶ୍ରୀନଗରର ସିଆରପିଏଫ୍ କ୍ୟାମ୍ପ୍ ରେ ସହିଦ୍ ଙ୍କ ସ୍ମୃତିକୁ ମନେ ରଖିବା ପାଇଁ ଦେଇଛନ୍ତି ।