ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆତଙ୍କ ! ରାଜଧାନୀରେ ୫ ରୋଗୀ ଚିହ୍ନଟ, ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

56

କନକ ବ୍ୟୁରୋ: ଡ଼େଙ୍ଗୁ ପରେ ରାଜଧାନୀରେ ଏବେ ସ୍ୱାଇନ ଫ୍ଲୁ ଆତଙ୍କ । ଗୋଟିଏ ଦିନରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୫ଜଣ ସ୍ୱାଇନ ଫ୍ଲୁ ରୋଗୀ । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ବିଭିନ୍ନ ସ୍ଥାନର ହୋଇଥିବା ସୂଚନା ମିଳିଛି ।

୫ ଜଣ ଆକ୍ରାନ୍ତଙ୍କୁ ରାଜଧାନୀର ବିଭିନ୍ନ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ରାଜଧାନୀର ୨ ଜଣ ମହିଳା ଥିବାବେଳେ କଳାହାଣ୍ଡି ଓ ଜଗତସିଂହପୁରରୁ ଜଣେ ଲେଖାଁଏ ଅଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସମୟରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଛି । ତେବେ ଏହା ଭିନ୍ନ ଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଥିବା କୌଣସି ପ୍ରକାର ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି ।

ସ୍ୱାଇନ୍ ଫ୍ଲୁ ର କାରଣ, ନିରାକରଣ ଓ ଏହାର ଉପଚାର ସଂପର୍କିତ କିଛି ଜାଣିବା କଥା

• ସ୍ୱାଇନ୍ ଫ୍ଲୁ ହେଉଛି ଏକ ସଂକ୍ରାମକ ରୋଗ । ସ୍ୱାଇନ୍ ଫ୍ଲୁ ବା ଏଚୱାନଏନୱାନ୍ ଇନଫ୍ଲୁଏଂଜା ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ ଏବେ ଭାରତରେ ବି ଏହା ମହାମାରୀର ରୂପ ନେଇସାରିଛି । ୪ ଟି ଭାଇରସର ସଂଯୋଜନ କାରଣରୁ ଏହି ଇନଫ୍ଲୁଏଂଜା ସୃଷ୍ଟି ହୋଇଥାଏ ।

• ଏହି ରୋଗ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ପ୍ରଥମରୁ ଏହି ରୋଗର ଲକ୍ଷ୍ୟଣ ସାମାନ୍ୟ ହୋଇଥାଏ । କିନ୍ତୁ ଠିକ୍ ସମୟରେ ଚିକିତ୍ସା ନକଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ ।

• ଏହି ରୋଗର ଆରମ୍ଭରେ ଜ୍ୱର, କାଶ, ମୁଣ୍ଡବଥା, ଥକାପଣ, ମାଂସପେଶୀ ଓ ଗଣ୍ଠି ବ୍ୟଥା, ଗଳା ଦରଜ ଇତ୍ୟାଦି ଲକ୍ଷ୍ୟଣ ଦେଖା ଦେଇଥାଏ । ଏପରି ଲକ୍ଷ୍ୟଣ ଦେଖାଗଲେ ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇନେବା ଉଚିତ୍ ।

• ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ଏହି ଫ୍ଲୁର ଆଂଟି ଭାୟରାଲ ଡ୍ରଗ୍ ଟ୍ୟାମି ଫ୍ଲୁ ଦ୍ୱାରା ଏହାର ଚିକିତ୍ସା ସମ୍ଭବ । ତେବେ ଏହି ରୋଗ ହୋଇଥିବା ସନ୍ଦେହ ହେଲେ ମୁହଁରେ ମାସ୍କ ଲଗାଇବା ଉଚିତ୍ ।

• କାଶ କିମ୍ବା ଛିଂକ ସମୟରେ ମୁହଁରେ ରୁମାଲ କିମ୍ବା ସଫା କପଡା ଦେବା ଉଚିତ । ପରେ ଏହି କପଡାକୁ ନିଜ ହାତରେ ଭଲ ଭାବେ ସଫା କରିବା କିମ୍ବା ସୁରକ୍ଷିତ ଭାବେ ଫିଙ୍ଗି ଦେବା ଉଚିତ୍ । ଏହା ପରେ ନିଜ ହାତକୁ ମଧ୍ୟ ସାନିଟାଇଜର ଦ୍ୱାରା ନିୟମିତ ଭାବେ ସଫା କରିବା ଉଚିତ ।

• ସବୁଠୁ ବଡ଼ କଥା ହେଲା ଏହି ରୋଗର ଲକ୍ଷ୍ୟଣକୁ ଅଣଦେଖା ନକରି ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ୍ । କାରଣ ସଠିକ୍ ସମୟରେ ଚିକିତ୍ସା ହେଲେ ଏହି ରୋଗରୁ ଆରୋଗ୍ୟ ହେବା ସମ୍ଭବ ।