ଡେବ୍ରିଗଡ ଅଭୟାରଣ୍ୟ ମହାବଳର ମୃତ୍ୟୁ ନେଇ ପୋଲିସ ନିକଟରେ ସ୍ୱୀକାର କଲେ ଶିକାରୀ: କହିଲେ, ମାରିଛନ୍ତି ବେଙ୍ଗଲ ଟାଇଗର

ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଓ ଏନଟିସିଏରୁ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ

140

କନକ ବ୍ୟୁରୋ: ହୀରାକୁଦ ଡେବ୍ରିଗଡ ଅଭୟାରଣ୍ୟ ମହାବଳର ମୃତ୍ୟୁ ନେଇ ବନବିଭାଗ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛନ୍ତି ଶିକାରୀ । ବାଘକୁ ମାରିଥିବା ଅଭିଯୋଗରେ ଗିରଫ ହୋଇଥିବା ୪ଜଣ ଶିକାରୀ ଏହା ସ୍ୱୀକାର କରିଛନ୍ତିି । ଜିଲ୍ଲା ବନଅଧିକାରୀ କହିଛନ୍ତି ସେମାନଙ୍କ ବୟାନ ଓ ମିଳିଥିବା ବାଘର ପଞ୍ଝା, ନିଶ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ନିରୀକ୍ଷଣ କଲେ ଏହା ମହାବଳ ବୋଲି ଜଣାପଡୁଛି । ତେବେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଓ ଏନଟିସିଏରୁ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ।

ଗତ ୨୮ ତାରିଖରେ ଡେବ୍ରିଗଡ ଅଭୟାରଣ୍ୟରେ ବାଘକୁ ଶିକାର ମାନେ ମାରିବା ପରେ ପୋତି ଦେଇଥିଲେ । କନକ ନ୍ୟୁଜରେ ସ୍ଥାନୀୟ ଲୋକଙ୍କ ବୟାନ ଓ କିଛି ବିଶେଷଜ୍ଞଙ୍କ ମତ ଆଧାରରେ ଏହା ମହାବଳ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ କିଛି ସମୟ ପରେ ବନବିଭାଗର ଅଧିକାରୀମାନେ ଏହା ମହାବଳ ନୁହେଁ କଲରାପତରିଆ ବାଘ ବୋଲି କହିଥିଲେ ।

ତେବେ ଧିରେ ଧିରେ ଅନ୍ୟ ପ୍ରମାଣ ଆସିବା ପରେ ବନବିଭାଗର ଅଧିକାରୀମାନେ ଚାପରେ ପଡି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲେ । ରାଜ୍ୟ ସରକାର ମଧ୍ୟ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହାବଳର ମୃତ୍ୟୁକୁ ବନବିଭାଗର ଅଧିକାରୀମାନେ କାହିଁକି ଚପାଇବାକୁ ଚେଷ୍ଟା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।