ମାଓବାଦୀଙ୍କ ସହିଦ ସପ୍ତାହ ପାଳନ : ହାଇଆଲର୍ଟରେ ପୋଲିସ ପ୍ରଶାସନ, ସମସ୍ତ ସରକାରୀ ବସକୁ ବନ୍ଦ ରଖିଛି ପରିବହନ ବିଭାଗ

61

କନକ ବ୍ୟୁରୋ : ଓଡିଶାର ଲାଲ ଇଲାକାରେ ମାଓବାଦୀଙ୍କ ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି । ତେଣୁ ମାଓବାଦୀମାନଙ୍କ ସଦିଦ ସପ୍ତାହ ଡାକରା ଉପଲକ୍ଷେ ସାରା ପୋଲିସ ପ୍ରଶାସନ ଅ।ଲର୍ଟରେ ଥିବା ଜଣ।ଆପଡିଛି । ପରିସ୍ଥିତିକୁ ଦେଖି ଲାଲ ସଂଗଠନ ମଜବୁତ ଥବା ଅଞ୍ଚଳରେ ସମସ୍ତ ସରକାରୀ ବସ ଗୁଡିକୁ ବନ୍ଦ ରଖାଯାଇଛି । ଏପଟେ ସହିଦ ସପ୍ତାହ ପାଳନ ଅବସରରେ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଇଥିଲା। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଅଧିକା ଫୋର୍ସ ମୁତୟନ କରିବା ସହ ମୁଖ୍ୟ ସହରର ପ୍ରବେଶ ପଥକୁ ସିଲ କରି ସିଆରପିଏଫ ଓ ପୁଲିସ ପକ୍ଷରୁ ଗାଡ଼ି ଗୁଡ଼ିକ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଏହାବ୍ୟତୀତ ସେହି ରାସ୍ତାରେ ଚଳାଚଳ କରୁଥିବା ସରକାରୀ ବସ ଗୁଡ଼ିକୁ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଜୟପୁର ଓ ରାୟଗଡ଼ା ଦେଇ କେବି ଲାଇନରେ ଚଳାଚଳ କରୁଥିବା କଟକ-ଭୁବନେଶ୍ୱର ଅଞ୍ଚଳକୁ ମଧ୍ୟ ବସ ଚଳାଚଳ ବନ୍ଦ ରହିଛି। କେବଳ ଜିଲ୍ଲା ମଧ୍ୟରେ ଘରୋଇ ବସ ଗୁଡ଼ିକ ଚଳାଚଳ କରୁଥିବା ଜଣାପଡିଛି।

ସହିଦ ସପ୍ତାହ ଅବସରରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ କହିଛନ୍ତିଯେ ମାଓ ହିଂସାକାଣ୍ଡକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଏବଂ ମୁଖ୍ୟ ପ୍ରବେଶ ପଥରେ ଗାଡ଼ି ଗୁଡ଼ିକୁ ଖାନ ତଲାସି କରାଯାଇ ରେଳଷ୍ଟେସନ, ବସଷ୍ଟାଣ ଏବଂ ମୁଖ୍ୟ ସ୍ଥଳ ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ପୁଲିସ ପାଟ୍ରୋଲିଂକୁ ବୃଦ୍ଧି କରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ଦିଆଯାଇଛି। ଅଧିକାଂଶ ସମୟରେ ମାଓବାଦୀ ସାଧାରଣ ଲୋକଙ୍କ ପ୍ରାଣହାନୀ କରୁଥିବାରୁ ସଜାଗ ରହିବାକୁ ସଚେତନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ପୋଲିସ କହିଛି ।

 

ତେବେ ୨୦୦୯ ଡ଼ିସେମ୍ବର ୨୯ ତାରିଖରେ ମାଓବାଦୀଙ୍କ ବନ୍ଦ ଡ଼ାକରା ବେଳେ ରାଜ୍ୟ ସରକାରଙ୍କ ଓଏସଆରଟିସି ବସ ଚଳାଚଳ କରିଥିଲା। ତେବେ ମାଓବାଦୀ ଏହାକୁ ବିରୋଧ କରି ବ୍ରହ୍ମପୁର- ରାୟଗଡ଼ା ରାସ୍ତାର ଗଜପତି ଜିଲ୍ଲା ସୀମାନ୍ତ ରାଇପାଙ୍ଗା ନିକଟରେ ପ୍ରାୟ ୪୦ ଜଣ ସଶସ୍ତ୍ର ନକ୍ସଲ ୪ଟି ସରକାରୀ ବସକୁ ଅଟକାଇ ଯାତ୍ରୀ ମାନଙ୍କୁ ଓହ୍ଲାଇ ନିଆଁ ଲଗାଇ ଜାଳି ଦେଇଥିଲେ। ବ୍ରହ୍ମପୁର-ଜୟପୁର, କଟକ-ଜୟପୁର, ବ୍ରହ୍ମପୁର-ଭବାନୀପାଟଣା ଏବଂ ନୟାଗଡ଼- ଜୟପୁର ମଧ୍ୟ ଦେଇ ଯାତାୟାତ କରୁଥିବା ବସ ଗୁଡ଼ିକୁ ମାଓବାଦୀ ମାନେ ପୋଡ଼ି ଦେଇଥିଲେ। ସେହିଭଳି ନିକଟରେ ଥିବା ରିଲାଏନ୍ସ ମୋବାଇଲ ଟାୱାରକୁ ମଧ୍ୟ ବୋମା ଲଗାଇ ଉଡ଼ାଇ ଦେଇଥିଲେ। ସେହିଦିନ ଠାରୁ ମାଓବାଦୀଙ୍କ ବନ୍ଦ କିମ୍ବା ସହିଦ ସପ୍ତାହ ପାଳନ ସମୟରେ ସରକାରୀ ବସ ଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଛି।