ନିର୍ବାଚନ ସମୟ ବେଳେ ବିଧାୟକଙ୍କ ଘରୁ ବାହାରିଲା ଇଭିଏମ ମେସିନ । ଷ୍ଟ୍ରଙ୍ଗରୁମରେ କାମକରୁନାହିଁ ସିସିଟିଭି

୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି

479

କନକ ବ୍ୟୁରୋ : ବର୍ତମାନ ସମୟରେ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ତେବେ ଏହି ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କୁହାଯାଉଛି । କାରଣ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ହେଉଛି । ତେବେ ଅନେକ ସମୟରେ ଅଭିଯୋଗ ହୁଏ କି ବର୍ତମାନ ଭୋଟିଂ ପାଇଁ ଯେଉଁ ମେସିନ ବ୍ୟବହାର କରାଯାଉଛି ତାହା ଠିକ ନୁହେଁ ବୋଲି । କେବଳ ଏତିକି ନୁହେଁ କେହି କେହି ଏହାକୁ ଟ୍ୟାମ୍ପରିଂ ହୋଇଥିବା କହୁଛନ୍ତି । ଠିକ ଏହି ସମୟରେ ଜଣେ ବିଧାୟକଙ୍କ ଘରୁ ଏପରି ଭାବରେ ଇଭିଏମ ମେସିନ ବାହାରିବା ସାରା ଦେଶରେ ଏବେ ଚର୍ଚ୍ଚା ହେଉଛି ।

 

ମିଳିଥିବା ସୂଚନା ଅନୁସାରେ ଭୋଟଦାନ ଆରମ୍ଭ ଏବଂ ଫଳାଫଳ ଘୋଷଣା ହେବା ଭିତରେ ଦୀର୍ଘଦିନର ବ୍ୟବଧାନ ରହୁଛି। ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ଇଲେକଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ୍) ଜାଲିଆତି ହେବାର ସନ୍ଦେହ ବଢ଼ିଯାଇଛି। ଫଳରେ ଦଳୀୟ କର୍ମୀମାନେ ଷ୍ଟ୍ରଙ୍ଗରୁମ୍ ବାହାରେ ଦିନରାତି ଇଭିଏମ୍କୁ ଜଗି ରହିଛନ୍ତି। ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଇଭିଏମ ଜାଲିଆତି ନେଇ ଯେଉଁ ସନ୍ଦେହ ଦେଖାଦେଇଛି ତାହାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦୃଢ଼ ସମର୍ଥନ କରିଛନ୍ତି। ଗତ କିଛିଦିନ ଭିତରେ ସୁରକ୍ଷା ଭଙ୍ଗ ହେବା ଭଳି କେତୋଟି କାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମତଃ ବେମିଟାରାରେ ସୀମା ସୁରକ୍ଷା ବଳର ଜଣେ କର୍ମଚାରୀ ଷ୍ଟ୍ରଙ୍ଗ ରୁମ୍ ଭିତରେ ଲାପଟପ୍ ବ୍ୟବହାର କରୁଥିବା ରିପୋର୍ଟ ମିଳିଥିଲା।

 

image courtesy-https://indianexpress.com

ସେହିଭଳି ଗତ ଶୁକ୍ରବାର ରିଲାଏନ୍ସ ଜିଓର କର୍ମଚାରୀ ବୋଲି ଦାବି କରୁଥିବା ଦୁଇ ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବସ୍ତର ଅଞ୍ଚଳର ଜଗଦଲପୁରଠାରେ ବୁଲୁଥିବା ଦେଖାଯାଇଥିଲା। ସେମାନଙ୍କ ପାଖରେ ଲାପଟପ୍ ଥିବାରୁ ସେମାନେ ଇଭିଏମ୍ ହ୍ୟାକ୍ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ କର୍ମୀ ଅଭିଯୋଗ ଆଣିଛନ୍ତି।

 

ଏହି ଘଟଣା ପଦାକୁ ଆସିବା ପରେ ଦିଲ୍ଲୀରେ ବରିଷ୍ଠ ଡେପୁଟି ନିର୍ବାଚନ କମିସନର ଉମେଶ ସିହ୍ନା କହିଛନ୍ତି, ଯେ, ଯେଉଁ କୋଠାରେ ଇଭିଏମ ରଖାଯାଇଛି ତାହାର ପରିସରରେ ଏକ ମୋବାଇଲ ଟାୱାର ରହିଛି। ତେଣୁ ସୁରକ୍ଷା କର୍ମୀ ସେହି ମୋବାଇଲ ଫୋନ କମ୍ପାନିର କର୍ମଚାରୀଙ୍କୁ ଉକ୍ତ ପରିସରକୁ ଛାଡ଼ିଥିଲେ। ସୁରକ୍ଷାରେ ଏହା ଏକ ଉଲ୍ଲଂଘନ। କିନ୍ତୁ ଇଭିଏମଠାରୁ ସଂପୃକ୍ତ କର୍ମଚାରୀଜଣକ ବହୁ ଦୂରରେ ଥିଲେ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶରେ ଏକ ଷ୍ଟ୍ରଙ୍ଗରୁମରେ ୧ ଘଣ୍ଟା ଧରି ବିଜୁଳ କାଟ୍ ହୋଇଥିବା କାରଣରୁ ସେଠାରେ ସିସିଟିଭି କ୍ୟାମେରା କାର୍ଯ୍ୟ କରି ନଥିଲା। ବିରୋଧୀମାନେ ଅଭିଯୋଗ କରିବା ପରେ ନିର୍ବାଚନ କମିସନ ଜେନେରେଟର ଲଗାଇ ସିସିଟିଭି ଚାଲୁ କରିଥିଲେ।

 

ରାଜସ୍ଥାନର ଜ୍ଞାନଚାନ୍ଦ ପାରଖ ନାମକ ଜଣେ ବିଧାୟକଙ୍କ ଘରେ ଇଭିଏମ ମିଳିଥିବାର ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଏହି ଭିଡିଓକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ୍ କରିବା ସହିତ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଇଭିଏମକୁ ଜଣେ ନିର୍ବାଚନ ଅଧିକାରୀ ବିଧାୟକଙ୍କ ଘରକୁ ଆଣିଥିଲେ। ସେହି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କ ମନରେ ଇଭିଏମ ଜାଲିଆତି ସନ୍ଦେହ ବଢ଼ିବାରେ ଲାଗିଛି। ତେଣୁ ଏହି ସନ୍ଦେହକୁ ନିର୍ବାଚନ କମିସନ ଦୂର କରିବା ଉଚିତ ବୋଲି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ. ୱାଇ. କ୍ୟୁରେସି ଗତ କିଛିମାସ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ। ତେଣୁ ନିର୍ବାଚନ କମିସନ ତାଙ୍କ ନିଜଆଡ଼ୁ ଲୋକଙ୍କ ସନ୍ଦେହ ଦୂର କରିବା ଲାଗି ସମୟ ଆସିଯାଇଛି ବୋଲି ମତ ପ୍ରକାଶ ପାଉଛି।