ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ ।

806

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଆଇନ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଛି ପୋଲିସ ଓ ପରିବହନ ବିଭାଗ । ଆଉ ଜରିମାନା ଏଭଳି ଆଦାୟ ହୋଇଛି ଯେ, ୨୪ ଘଂଟା ଭିତରେ ଜରିମାନା ଆଦାୟ, କୋଟିଏ ଟଙ୍କା ଟପିଛି । ଏସବୁ ଭିତରେ ଗୋଟିଏ ପଟେ ଜନତାଙ୍କ ଆଇନ୍ ଉଲ୍ଲଂଘନ ଏବଂ ଅନ୍ୟପଟେ ଟ୍ରାଫିକ ଧରପଗଡ ।

ଦ୍ୱିତୀୟ ଦିନରେ ବି ଜୋରଦାର ହୋଇଛି ଟ୍ରାଫିକ୍ ଧରପଗଡ଼ । ନୂଆ ମୋଟରଯାନ ଆଇନ ଅନୁସାରେ ନିୟମ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ କାଟିଛି ପୋଲିସ । ସମ୍ବଲପୁରରେ ଜଣେ ନାବାଳକ ସ୍କୁଟି ଚଳାଉଥିବା ବେଳେ ୪୩ ହଜାର ଟଙ୍କାର ଚାଲଣ କଟାଯାଇଛି । ନାବାଳକ ହୋଇଥିବାରୁ ୨୫ ହଜାର, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଗାଡିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧିନଥିବାରୁ ୧ ହଜାର ଟଙ୍କାର ଚାଲାଣ କଟାଯାଇଛି ।

ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରିଛି ପରିବହନ ବିଭାଗ । ଉଭୟ ଗାଡିକୁ ମୋଟ ୫୧ ହଜାର ଟଙ୍କା ଜରିମାନା କରାଯାଇଛି । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି । ଏକ ସ୍କୁଲ ଭ୍ୟାନକୁ ମଧ୍ୟ ସିଜ କରିଛି ପୋଲିସ । କାଗଜ ପତ୍ର ନଥାଇ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏହି ଭ୍ୟାନଠାରୁ ୩୭ ହଜାର ୫୦୦ ଟଙ୍କା ଚାଲାଣ କଟାଯାଇଛି । ଟାଟା ଏସିଇ ଠାରୁ କଟାଯାଇଛି ୨୨ ହଜାର ୫୦୦ ଟଙ୍କାର ଜୋରିମାନା ।

ବରଗଡ଼ରେ ଜଣେ ମଦୁଆ ଡ୍ରାଭଭରଙ୍କୁ ଧରିଛି ପୋଲିସ । ତାଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି । ତେବେ ସମ୍ବଲପୁରରେ ଟ୍ରାଫିକ ଯାଂଚବେଳେ ପୋଲିସ ହାବୁଡରେ ପଡିଛନ୍ତି କନଷ୍ଟେବଳ । ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗକୁ ଧରିଛି ପୋଲିସ । ମଦ ପିଇ ଗାଡ଼ି ଚଳାଉଥିବା ଯୋଗୁଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି ।

କଟକରୁ ରାଉରକେଲା ଯାଏଁ ଜୋରଦାର ହୋଇଛି ଚେକିଂ । ଆଇନ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଛି ପୋଲିସ ଓ ପରିବହନ ବିଭାଗ । ସେପଟେ ପ୍ରଥମ ଦିନରେ କୋଟିଏ ଟଙ୍କାର ଫାଇନ୍ ଆଦାୟ ହୋଇଥିବା ଜଣାପଡିଛି । ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କୁ ଚାଲାଣ କଟାଯାଇଛି । ବାଇକରେ ୩ ଜଣ ଯାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ମୋବାଇଲରେ କଥା ହେଉଥିବା ବେଳେ ୪୮ ଜଣ, ବିନା ହେଲମେଟରେ ୧୮୩୧ ଜଣ, ଦ୍ରୁତ ଗାଡି ଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ୍ ବେଲଟରେ ଗାଡି ଚଲାଉଥିବା ୩୪୯ ଜଣଙ୍କଠାରୁ ଚାଲାଣ କଟାଯାଇଛି । ପରିବହନ ବିଭାଗ ୧୭୫୮ ଜଣଙ୍କ ଠାରୁ ୮୮ ଲକ୍ଷ ଆଦାୟ କରିଥିବା ବେଳେ ପୁଲିସ ୨୧୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଆଦାୟ କରିଛି ।