ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ‘ସେସୁ’କୁ ବଡ ଝଟକା ! ୧ କୋଟି ଟଙ୍କାର ଜୋରିମାନା ଲଗାଇଲା NGT ।

141

କନକ ବୁରୋ : ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ସେସୁକୁ ବଡ ଝଟକା । ଅବହେଳା ପାଇଁ କୋଟିଏ ଟଙ୍କାର ଫାଇନ୍ କରିଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ଟି ହାତୀଙ୍କର ମୃତ୍ୟୁ ଘଟଣାରେ ସେସୁ ଉପରେ ଲାଗିଛି ୧ କୋଟି ଟଙ୍କାର ଜୋରିମାନା । ହାତୀ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା ଏନଜିଟି । ଏହି ଘଟଣାରେ ସେସୁ’କୁ ଦାୟୀ କରିବା ସହ କୋଟିଏ ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି । ହାତୀ ମୃତ୍ୟୁ ଘଟଣାକୁ ନେଇ ଜଷ୍ଟିସ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଛି । ତେବେ ଗଣମାଧ୍ୟମରେ ପ୍ରସାରିତ ଖବର ଆଧାରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ସେସୁ ଉପରେ ନିଜଆଡୁ ମାମଲା ରୁଜୁ କରିଥିଲା ।

ଘଟଣାସ୍ଥଳରେ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ଢେଙ୍କାନାଳ ଯାଇ ତଦନ୍ତ କରିବ ଏହି ସ୍ୱତନ୍ତ୍ର ଟିମ୍ । ତଦନ୍ତ ସରିବା ପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ । ପୂର୍ବରୁ ମଧ୍ୟ ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ସେସୁକୁ ଦାୟୀ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସୂଚନା ଅନୁଯାୟୀ, ଢେଙ୍କାନାଳର କଂଟାବଣିଆ ଅଂଚଳରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ପ୍ରାଣ ହରାଇଥିଲେ । ରେଳ ଧାରଣା କାମ ପାଇଁ ବିଦ୍ୟୁତ୍ ତାର ଟାଣି କାମ କରୁଥିଲା ଠିକା ସଂସ୍ଥା । ତେବେ ଅଳ୍ପ ଉଚ୍ଚରେ ତାର ଯାଇଥିବାରୁ ସେଥିରେ ଲାଗି, ହାତୀଙ୍କ ଜୀବନ ଯାଇଥିଲା । ଘଟଣା ପାଇଁ ସେସୁକୁ ଦାୟୀ କରିଥିଲା ଜଙ୍ଗଲ ବିଭାଗ ।