ଶିଶୁଙ୍କୁ ଖେଳନା ଦେବା ପଡ଼ିଲା ମହଙ୍ଗା ! ୭ ବର୍ଷର ଶିଶୁ ପେଟରୁ ବାହାରିଲା ଦେଢ଼ ସେ.ମି. ଲମ୍ବର ସ୍ପ୍ରିଙ୍ଗ

118

ପିଲାଙ୍କୁ ଖେଳନା ଦେବା କେତେ ମହଙ୍ଗା ପଡ଼ିପାରେ ତାର ନିଚ୍ଛକ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି । ଖେଳନା ବନ୍ଧୁକର ସ୍ପ୍ରିଙ୍ଗଟିଏ ଗିଳି ପକାଇବାରୁ ମୁମ୍ବାଇ ନିକଟସ୍ଥ ଭିଓ୍ଵାଣ୍ଡିର ଜଣେ ୭ ବର୍ଷିୟ ପିଲାର ଅବସ୍ଥା ସାଙ୍ଘାତିକ ହୋଇଯାଇଥିଲା। ବନ୍ଧୁକରେ ଖେଳିବା ବେଳେ ପିଲାଟି ତାହାର ଗୋଟାଏ ସ୍ପ୍ରିଙ୍ଗକୁ ପାଟିରେ ପୂରାଇ ଭୁଲରେ ଗିଳି ପକାଇଥିଲା। ଶ୍ୱାସନଳୀ ବାଟେ ଯାଇ ସ୍ପ୍ରିଙ୍ଗ୍ ଲାଖି ଯାଇଥିଲା ତା’ର ଫୁସଫୁସରେ।

ପରେ ପରେ ପିଲାଟି କାଶି କାଶି ବେଦମ ହୋଇ ଯିବାରୁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପରୀକ୍ଷା କରି ଡାକ୍ତରମାନେ ଜାଣିପାରିଲେ ଗୋଟାଏ ଦେଢ଼ ସେ. ମି. ଲମ୍ବର ଇସ୍ପାତ ସ୍ପ୍ରିଙ୍ଗ୍ ତା’ ଫୁସଫୁସରେ ଲାଖି ରହିଛି। ଭିଓ୍ଵାଣ୍ଡି ଡାକ୍ତରମାନେ ଅକ୍ଷମତା ପ୍ରକାଶ କରିବାରୁ ୭ ବର୍ଷିୟ ବାଳକଟିକୁ ନିଆଗଲା ଥାନେର ଏକ ଘରୋଇ ଡାକ୍ତରଖାନାକୁ।

ଫୁସଫୁସରେ ସ୍ପ୍ରିଙ୍ଗ୍ ଲାଗିଛି ବୋଲି ଥାନେ ଡାକ୍ତର ନିଶ୍ଚିତ କରି କହିଲେ। ସାନ ପିଲାଟି ଦେହରେ ଅସ୍ତ୍ରୋପଚାର ନ କରି ଡାକ୍ତରମାନେ ବାୟୋସ୍କୋପି କରି ସ୍ପ୍ରିଙ୍ଗଟିକୁ କାଢ଼ିଥିଲେ। ସ୍ପ୍ରିଙ୍ଗଟିକୁ ସଫଳତାର ସହ କଢ଼ା ଯାଇଥିଲେ ମଧ୍ୟ ପିଲାଟି ଡାକ୍ତରଖାନାରେ ଅଛି।