ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧ ଲକ୍ଷ ୧୬ ହଜାର ଟଙ୍କାର କଟିଲା ଚାଲାଣ । ମାଲିକ ଠାରୁ ଟଙ୍କା ଆଣି ଫେରାର ହୋଇଗଲା ଡ୍ରାଇଭର ।

608

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଏବେ ଗାଡି ବାହାର କରିବା ପୂର୍ବରୁ ବାରମ୍ବାର ଭାବିବାକୁ ପଡୁଛି । କାରଣ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ହଜାର ହଜାର ଟଙ୍କାର ଚାଲାଣ କଟାଯାଉଥିବାର ଖବର ଦେଶର ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି । କେଉଁଠି ଜରିମାନା ନ ଦେବା ପାଇଁ ଗାଡି ଚାଳକ ଗାଡି ଜାଳି ଦେଉଛନ୍ତି ତ ପୁଣି କେଉଁଠି ଜରିମାନା ଦେବା ବଦଳରେ ଗାଡି ଛାଡି ଚାଲି ଆସୁଛନ୍ତି ଚାଳକ । ଆଉ ଏସବୁ ଭିତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପରେ ଜରିମାନା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ଜମା କରିବାକୁ ଆଣି ଡ୍ରାଇଭର ଫେରାର ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ଦିଲ୍ଲୀର ଏକ ଟ୍ରକ ହରିୟାଣା ଯାଉଥିବା ବେଳେ ଓଭରଲୋଡିଂ ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧.୧୬ ଲକ୍ଷ ଟଙ୍କାର ଚାଲାଣ କାଟିଥିଲା ପରିବହନ ବିଭାଗ । ଟ୍ରକ ମାଲିକ ୟାମିନ ଖାନ୍ ଜରିମାନା ବାବଦ ଟଙ୍କା ଜମା କରିବାକୁ ଡ୍ରାଇଭରକୁ ଦେଇଥିଲେ । ତେବେ ଟଙ୍କା ପାଇବାର କିଛି ସମୟ ମଧ୍ୟରେ ଡ୍ରାଇଭରର ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ଆଉ ସନ୍ଦେହ ହେବାରୁ ଏନେଇ ପୋଲିସରେ ସୂଚନା ଦେଇଥିଲେ ୟାମିନ୍ ।

ପରେ ପୋଲିସ ପଚରାଉଚରା ପାଇଁ ଡ୍ରାଇଭରର ଘର ଉତ୍ତରପ୍ରଦେଶର ଫିରୋଜପୁରରେ ପହଞ୍ଚିଥିଲା । ଆଉ ଖୋଳତାଡ ପରେ ଡ୍ରାଇଭରଙ୍କୁ ସେଠାରୁ ଗିରଫ କରିଥିଲା । ତେବେ ଟଙ୍କା ନେଇ ଫେରାର ପଛର କାରଣ କହିଥିଲା ପୋଲିସ । ଅଧିକ ଟଙ୍କାର ଚାଲାଣ କଟିଥିବାରୁ ଡ୍ରାଇଭରକୁ ଗାଳି କରିଥିଲେ ମାଲିକ ୟାମିନ୍ । ଆଉ ଏହାପରେ ମାଲିକଙ୍କୁ ପାନେ ଦେବାକୁ ମନେ ମନେ ସ୍ଥିର କରିଥିଲେ ଡ୍ରାଇଭର । ଆଉ ଟଙ୍କା ମିଳିବା ମାତ୍ରେ ଛୁ ହୋଇଯାଇଥିଲେ ଡ୍ରାଇଭର ।