୨୬/୧୧ ଆତଙ୍କର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଗୃହବନ୍ଦୀ କଲା ପାକିସ୍ତାନ ! ଆମେରିକା ପକ୍ଷରୁ ଚାପ ପଡିଥିବାରୁ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା

25

କନକ ବ୍ୟୁରୋ : ମୁମ୍ବାଇ ଆତଙ୍କର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଗୃହବନ୍ଦୀ କରାଯାଇଛି । ପାକିସ୍ତାନ ସରକାରଙ୍କ ତରଫରୁ ଜମାତ-ଉଦ୍-ଦାୱାର ମୁଖ୍ୟ ହାଫିଜକୁ ଲାହୋରର ଏକ ମସଜିଦରେ ନଜରବନ୍ଦୀ କରି ରଖାଯାଇଛି । ଚର୍ଚ୍ଚା ହେଉଛି ଯେ ଆମେରିକା ପକ୍ଷରୁ ଚାପ ପଡିଥିବାରୁ ପାକିସ୍ତାନ ଏହି ପଦକ୍ଷେପ ନେଇଛି । ପାକିସ୍ତାନ ସରକାର ହାଫିଜର ଆତଙ୍କବାଦୀ ଅନୁଷ୍ଠାନ ଉପରେ ବ୍ୟାନ ଲଗାଇବାକୁ ଚିନ୍ତା କରୁଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

୨୬/୧୧ ମୁମ୍ବାଇ ଆକ୍ରମଣରେ ମାଷ୍ଟରମାଇଣ୍ଡ ଭାବେ ହାଫିିଜର ହାତ ଥିବା ନେଇ ଭାରତ ପକ୍ଷରୁ ବାରମ୍ବାର କୁହା ଯାଉଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଉଛି । ଆମେରିକା ମଧ୍ୟ ଏହି ସଂଗଠନକୁ ଆତଙ୍କୀ ସଂଗଠନ ଭାବେ ଘୋଷିତ କରିସାରିଛି । ଏହା ସହ ଆମେରିକା ମଧ୍ୟ ହାଫିଜ ସୟିଦ ଉପରେ ଏକ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଛି । କିନ୍ତୁ ପାକିସ୍ତାନ ହାଫିଜକୁ ଆଶ୍ରୟ ଦେଇଥିବା ନେଇ ପୂର୍ବରୁ ବାରମ୍ବାର ରିପୋର୍ଟ ପ୍ରକାଶ ପାଇଛି ।

ଟ୍ରମ୍ପଙ୍କ ଚାପ ଯୋଗୁଁ ହାଫିଜ ଗୃହବନ୍ଦୀ ହୋଇଥିବାର ଚର୍ଚ୍ଚା ହେଉଥିଲେ ବି ହାଫିଜ କିନ୍ତୁ ଭାରତ ଉପରେ ସବୁ ଦୋଷ ଦେଇଛି । ହାଫିଜ କହିଛି ଭାରତର ଚାପରେ ତାକୁ ଅଟକ ରଖାଯାଇଛି । ହାଫିଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଜାତିସଂଘରେ ବିଭିନ୍ନ ପ୍ରମାଣ ଉପସ୍ଥାପନ କରିଥିଲେ ମଧ୍ୟ ପାକିସ୍ଥାନ ଏଥିପ୍ରତି ଗୁରୁତ୍ୱ ନ ଦେଇ ହାଫିଜକୁ ସୁରକ୍ଷା ଦେଇ ଚାଲିଥିଲା ।

ଭାରତରେ ହୋଇଥିବା ବହୁ ଆତଙ୍କବାଦୀ ହମଲାର ମାଷ୍ଟର ମାଇଣ୍ଡ ହେଉଛି ହାଫିଜ ସୟିଦ । ସେ ଲସ୍କର-ଏ-ତୋଇବା, ଜମାତ-ଉଦ୍-ଦାୱାର ମୁଖିଆ । ଭାରତରେ ହେଉଥିବା ଅଧିକାଂଶ ଆତଙ୍କବାଦୀ ହମଲାର ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିଲା ହାଫିଜ । ୨୦୦୧ ସଂସଦ ଭବନ ଆକ୍ରମଣରେ ହାଫିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାର ନିର୍ଦ୍ଦେଶ ଓ ପରିଚାଳନାରେ ସଂସଦ ଭବନ ଉପରେ ଆକ୍ରମଣ କରାଯାଇଥିଲା ।

ସଂସଦ ଭବନ ଆକ୍ରମଣରେ ୬ ପୋଲିସ ସହିତ ମୋଟ ୮ସହିଦ ଓ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ୨୦୦୬ ମୁମ୍ବାଇ ସିରିଜ ଟ୍ରେନ ବିସ୍ଫୋରଣରେ ସଂପୃକ୍ତି ପ୍ରମାଣିତ ହୋଇଛି । ୨୦୦୬ ମସିହାରେ ହୋଇଥିବା ଟ୍ରେନ ସିରିଜ ବିସ୍ଫୋରଣରେ ୨୦୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ଭାରତ ଉପରେ ହାଫିଜର ସବୁଠୁ ବଡ ହମଲା । ୨୬ ନଭେମ୍ବରରେ ହୋଇଥିବା ଏହି ଆକ୍ରମଣରେ ଦେଶ ଓ ବିଦେଶରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

ହାଫିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା ମୁମ୍ବାଇ ଆକ୍ରମଣ । ପାକିସ୍ତାନରୁ ଲାଇଭ ଟିଭି ଦେଖି ଆକ୍ରମଣକୁ ପରିଚାଳନା କରିଥିବା ଏନଆଇଏ ପ୍ରମାଣ ପାଇଛି । ସେହିପରି ଗତବର୍ଷ କଶ୍ମୀରର ଉରୀ ସେନା ଶିବିର ଉପରେ ହମଲାର ନକ୍ସା କରିଥିଲା ହାଫିଜ୍ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୮ଯବାନ ସହିଦ ହୋଇଥିଲେ । ତେବେ ହାଫିଜକୁ ଧରିବାକୁ ୨୦୧୨ରେ ଆମେରିକା ଏନଆଇଏ ୧୦ ନିୟୁତ ଡଲାର ପୁରଷ୍କାର ଘୋଷଣା କରିଥିଲା । ତେବେ ପାକିସ୍ତାନ ସବୁ ବେଳେ ହାଫିଜକୁ ସୁରକ୍ଷା ଯୋଗାଇ ଆସିଛି ।