ହିମାଳୟରେ ନିଖୋଜ ହୋଇଯାଇଥିଲେ ଦୁଇ ଯୁବକ : ୩୦ ବର୍ଷ ପରେ ତାଙ୍କୁ ଏମିତି ପାଇଲେ ପରିବାର ଲୋକ 

ଭାବି ପତ୍ନୀଙ୍କ ଗର୍ଭରେ ଥିବା ପୁଅର ବୟସ ଏବେ ୩୦ ବର୍ଷ !

420

ଦୀର୍ଘ ତିରିଶି ବର୍ଷ ତଳେ ହିମାଳୟ ପର୍ବତରେ ଅଦୃଶ୍ୟ ହୋଇ ଯାଇଥିବା ୨ ଜଣ ବନ୍ଧୁଙ୍କ ମୃତ ଶରୀରର ଅଂଶବିଶେଷ ନିକଟରେ ହସ୍ତଗତ ହୋଇଛି। କ୍ରିଷ୍ଟିନ୍ ରୁନାରସନ ଓ ପରେଷ୍ଟେନ୍ ଗୁଡଜନସନ ନାମକ ଏହି ଦୁଇ ଯୁବକଙ୍କୁ ଶେଷ ଥର ପାଇଁ ୧୯୮୮ ମସିହା ଅକ୍ଟୋବର ୨୮ ତାରିଖରେ ଦେଖିବାକୁ ମିଳିଥିଲା। କ୍ରିଷ୍ଟିନ୍ ରୁନାରସନ ଓ ପରେଷ୍ଟେନ୍ ଗୁଡଜନସନ ତାଙ୍କର ଅନ୍ୟ ଜଣେ ବନ୍ଧୁ ଷ୍ଟିଭ୍ ଆଇସ୍ତୋରୋପଙ୍କ ସହ ନେପାଳ-ତିବତ ସୀମାରେ ପୁମୋରି ଅଭିଯାନରେ ବାହାରିଥିଲେ। ଅଧା ବାଟରେ ଷ୍ଟିଭ୍ ଆଇସ୍ତୋରୋପ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଛାଡ଼ି ସେ ଦୁହେଁ ହିମାଳୟ ଉପରକୁ ଯାତ୍ରା କରିଥିଲେ। ମାତ୍ର ଦୁଃଖର କଥା ହେଉଛି, ସେ ଦୁହେଁ ସେଠାରୁ ଆଉ ଫେରିନଥିଲେ।

ଗତ ସପ୍ତାହରେ ଜଣେ ଆମେରିକୀୟ ପର୍ବତାରୋହୀ ସେ ଦୁହିଁଙ୍କର ଅସ୍ତି ବିଶେଷ ପାଇବା ପରେ ସେମାନେ ପାହାଡ଼ ଉପରେ ଥିବା ପଥର ସନ୍ଧିରେ ଖସି ପଡ଼ିବାରୁ ସେମାନଙ୍କ ଜୀବନ ଯାଇଥିବା ସୂଚନା ଦେଇଛନ୍ତି। ଆଞ୍ଚଳିକ ପାହାଡ଼ ଚଢ଼ାଳି ଦଳଙ୍କ ସହାୟତାରେ ସେ ଦୁହିଁଙ୍କ କଙ୍କାଳକୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଛି। ସଂପର୍କୀୟମାନଙ୍କ ଉପସ୍ଥିତରେ ସେମାନଙ୍କ ଶୁଦ୍ଧି କ୍ରିୟା ବି ହୋଇଛି। ଶୁଦ୍ଧି କ୍ରିୟା ପରେ ପରିବାର ଲୋକ ସେମାନଙ୍କ ଭଷ୍ମ ପାଉଁସକୁ ଘରକୁ ନେଇଛନ୍ତି। ସେଦିନର କଥା ମନେ ପକାଇ ବନ୍ଧୁ ଷ୍ଟିଭ୍ ଆଇସ୍ତୋରୋପ(୫୫) କହନ୍ତି କି ସେ ସମୟରେ କ୍ରିଷ୍ଟିନ୍ ରୁନାରସନଙ୍କ ଭାବି ପତ୍ନୀ ଗର୍ଭବତୀ ଥିଲେ। ତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପୁଅର ବୟସ ଏବେ ୩୦ ବର୍ଷ।