ସାରା ରାଜ୍ୟରେ ବଢ଼ୁଛି ତାତି ! ୩୮ ଡିଗ୍ରି ଟପିଲା ମାଲକାନଗିରି ତାପମାତ୍ରା

76

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଦୁଇ ଦିନ ମଧ୍ୟରେ ସବୁ ସହରର ଦିନର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ଇତି ମଧ୍ୟରେ ୩୮ ଡିଗ୍ରି ଟପିଛି । ଏଠାରେ ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ ହୋଇଛି । ଏହାବ୍ୟତୀତ ଉପକୂଳ ଓ ପଶ୍ଚିମ ଓଡ଼ିଶାର ୫ରୁ ଅଧିକ ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା । କଟକରେ ୩୬.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୩୫.୯, ଭବାନୀପାଟଣାରେ ୩୫.୫, ସୋନପୁରରେ ୩୫.୪, ବଲାଙ୍ଗୀରରେ ୩୫.୨, ଅନୁଗୁଳ ଓ ତାଳଚେରରେ ୩୫.୧ ଡିଗ୍ରି ଲେଖାଏ ରହିଛି । ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗିରହିବ । ୨୩ ତାରିଖ ରାତିରୁ ପାଗରେ ପରିବର୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଫେବ୍ରୁଆରି ୨୪ରୁ ୨୬ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବାର ଆଶଙ୍କା ମଧ୍ୟ ରହିଛି । ଉତ୍ତର ଭାରତରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହେବ ।

ପ୍ରଭାବରେ ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା ଓ କଟକରେ ବର୍ଷା ହେବାର ସମ୍ଭାବନା ରହିଛି । ଫେବ୍ରୁଆରି ୨୫ ଓ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ସେହିପରି ୨୩ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶାରେ ଗରମ ଅନୁଭୂତ ହେବ। ଦିନର ତାପମାତ୍ରା ୩୫ ଡିଗ୍ରି ମଧ୍ୟ ଛୁଇଁବାର ସମ୍ଭାବନା ରହିଛି । ୨୪ ତାରିଖରୁ ତାପମାତ୍ରା କମିପାରେ । ୨୧ ତାରିଖ ସକାଳେ କୁହୁଡ଼ିର ସମ୍ଭାବନା ରହିଥିବା କୁହାଯାଇଛି ।