ସାତକୋଶିଆରେ ମହାବଳ ବାଘର ବେକରେ ଆଘାତ ପରେ ସଂକ୍ରମଣ ଯୋଗୁ ମୃତ୍ୟୁ ସନ୍ଦେହ : ଶିକାରୀ ଫାଶରେ ପଡିବା ପରେ ବେକରେ ସୃଷ୍ଟି ହୋଇଥିଲା କ୍ଷତ

174

 

କନକ ବ୍ୟୁରୋ : ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଲା ବନବିଭାଗ । ବେକରେ ଆଘାତ ଯୋଗୁଁ ମହାବଳ ମହାବୀରର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଇଛି । ବେକରେ ଆଘତ ଲାଗି ପରେ ସଂକ୍ରମଣ ହୋଇମହାବୀରର ମୃତ୍ୟୁ ହୋଇଛି । ଗତକାଲି ବାଘ ନୀରିକ୍ଷଣ ଟିମ୍ ବାଘକୁ ଠାବ କରିଥିଲେ । ବାରାହା କିମ୍ବା ହରିଣ ପାଇଁ ଲଗାଯାଇଥିବା ଫାଶରେ ମହାବୀର ପଡିଯାଇଥିଲା ବୋଲି କୁହାଯାଉଛି । ତେବେ କୌଣସି ଉପାୟରେ ମହାବୀର ଫାଶରୁ ଖସି ଯାଇଥିଲା କିନ୍ତୁ ତାର ବେକରେ ରହିଯାଇଥିବା କ୍ଷତ ଶେଷରେ ତାର ଜୀବନ ନେଇଗଲା ବୋଲି ଅନୁମାନ କରିଛି ବନବଭାଗ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସାତକୋଶିଆ ଟାଇଗର ରିଜର୍ଭ ପକ୍ଷରୁ କୁହାଯାଉଛି ।

ଆଜି ମହାବୀରର ଶବବ୍ୟବଛେଦ କରାଯିବ । ପୋଷ୍ଟମର୍ଟମ ସମୟରେ ବାହାର ରାଜ୍ୟର ବିଶେଷଜ୍ଞମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହାବଳ ମହାବୀରକୁ ଗୁଳି ମଧ୍ୟ ମରାଯାଇଥାଇପାରେ । କିନ୍ତୁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସାତକୋଶିଆର ରାଇଗୁଡା ରେଞ୍ଜର କୋର ଏରିଆରେ ମହାବୀର ଚଳପ୍ରଚଳ କରୁଥିଲା । ବାଘୁଣୀ ସୁନ୍ଦରୀ ପରି ମହାବୀର କିନ୍ତୁ ଗାଁ ପାଖକୁ ଆସି କେବେ ଆତଙ୍କ ସୃଷ୍ଟି କରିନଥିଲା । ମହାବୀର କୋର ଏରିଆରେ ହିଁ ରହୁଥିଲା । କିନ୍ତୁ ହଠାତ୍ ମହାବୀରର ବେକରେ ଲଗାଯାଇଥିବା ରେଡିଓ କଲାର ସ୍ଥିର ହୋଇଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ମହାବୀର ଚଳପ୍ରଚଳ କରୁନାହିଁ । ଏହାର ପ୍ରାୟ ୨୪ ଘଂଟା ପରେ ବାଘର ହାର୍ଟବିଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହା ପରେ ମହାବୀରର ମୃତ୍ୟୁ ହେବା ନେଇ ସବୁକିଛି ସ୍ପଷ୍ଟ ହେଲା ।