ଶ୍ରୀମନ୍ଦିର ବୁଲି ବଡଠାକୁରଙ୍କୁ ଦର୍ଶନ କଲେ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ! ମନସ୍କାମନା ପୂରଣ ହେଲା ପରେ କଲେ କାଳିଆ ଦର୍ଶନ ।

732

ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ନିଜର ମାନସିକ ପୂରଣ ହୋଇଥିବା ହେତୁ ସେ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଜଣାଯାଇଛି । ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ଶ୍ରୀଜିଉଙ୍କ ଦର୍ଶନ ବେଳେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ଥିଲେ । ମିଥୁନ ଚକ୍ରବର୍ତ୍ତୀ ପ୍ରଥମେ ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ପ୍ରଣାମ କରିଥିଲେ । ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଅବକାଶ ନୀତି ଦର୍ଶନ କରିବା ସହ ବେହରଣ ଦ୍ୱାର ଦେଇ ବାହାରକୁ ଆସିଥିଲେ ।

ଏହାପରେ ମିଥୁନ୍ ଦା’ ମାଆ ବିମଳା ଦେବୀ, ସରସ୍ୱତୀ ଓ ପରେ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ସେ ଆନନ୍ଦ ବଜାର ବି ବୁଲି ଦେଖିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଆଜି ଅପରାହ୍ନରେ ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ବ୍ରାହ୍ମଣ ଭୋଜନ କରାଇବେ ବୋଲି ସୂଚନା ମିଳିଛି ।