ମୋଦି ସରକାରଙ୍କ ୪ର୍ଥ ପାଳିକୁ “ବିଶ୍ୱାସଘାତ ଦିବସ” ଭାବେ ପାଳିବ କଂଗ୍ରେସ ।

46

ଆସନ୍ତା ୨୬ ତାରିଖରେ ମୋଦି ସରକାରକୁ ପୁରୁଛି ଚତୁର୍ଥ ବର୍ଷ । ଆଉ ଏହାକୁ ନେଇ ବିଜେପି ଶିବିରରେ ଦେଖାଦେଇଛି ଅନେକ ଉତ୍ସାହ । ୪ବର୍ଷ ମଧ୍ୟରେ କେନ୍ଦ୍ରରେ ନିଜର ଦବଦବା ଜାହିର କରି ଦେଶର ୨୧ଟି ରାଜ୍ୟରେ ନିଜର ସରକାର ଗଢ଼ିବାରେ ସମର୍ଥ ହୋଇଛି ବିଜେପି । ତେଣୁ ଦେଶସାରା ମୋଦି ମ୍ୟାଜିକ ସହିତ ଗେରୁଆ ରଙ୍ଗରେ ରଙ୍ଗୀନ ସଫଳତାକୁ ବଖାଣିବା ପାଇଁ ଯୋଜନା କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ ମୋଦି ସରକାରଙ୍କ ଚତୁର୍ଥ ଇନିଂସକୁ “ବିଶ୍ୱାସଘାତ ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଛି ।

ଜାତୀୟ କଂଗ୍ରେସର ଜେନେରାଲ ସେକ୍ରେଟାରୀ ଅଶୋକ ଗେହଲଟ ଏବଂ କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ସମ୍ବାଦିକ ସମ୍ମିଳନୀରେ ମେ ୨୬ ତାରିଖକୁ “ବିଶ୍ୱାସଘାତ ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସ ପାଳନ କରିବା ଯଥାର୍ଥ ହେଉଛି ଯେ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଏକତ୍ରିତ କରି ମୋଦି ସରକାରଙ୍କ ବିଫଳତା ବିଷୟରେ ଜଣାଇବ ବୋଲି କହିଛି କଂଗ୍ରେସ । ଗେହଲଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ କଂଗ୍ରେସ ୨୦୧୯ ନିର୍ବାଚନ ମିଶନରେ ଫୋକସ କରୁଛି ତେଣୁ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଅନୁସାରେ ଗତ ମାସ ୨୯ ତାରିଖରେ ‘ଆକ୍ରୋଶ’ ର୍ୟାଲି କରିଥିଲା କଂଗ୍ରେସ । ଯାହାଦ୍ୱାରା ଏଭଳି ଦୁର୍ନୀତି ଖୋର ମୋଦି ସରକାରଙ୍କ ଅସଲ ଚେହେରା ଜନସମ୍ମୁଖକୁ ଆଣିବା କଂଗ୍ରେସର ପ୍ରୟାସ ବୋଲି ଗେହଲଟ କହିଛନ୍ତି । ଏପରିକି ମୋଦି ସରକାର ସମସ୍ତ କ୍ଷେତ୍ରରେ ଜନସାଧାରଣଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛି ଜାତୀୟ କଂଗ୍ରେସ ।

ଆସନ୍ତା ୨୬ ତାରିଖ ଶନିବାର ଦିନ ଦେଶବ୍ୟାପୀ ବିଶ୍ୱାସଘାତ ଦିବସ ଭାବେ ପାଳନ କରିବ କଂଗ୍ରେସ । ଦେଶର ସମସ୍ତ ରାଜ୍ୟ କଂଗ୍ରେସ ଶାଖା କାର୍ଯ୍ୟାଳୟ ଜିଲ୍ଲାୱାରୀ ଧାରଣା ସହ ପ୍ରତିବାଦ କରିବ କଂଗ୍ରେସ ବୋଲି ସୁଚନା ମିଳିଛି । ମୋଦି ସରକାର ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସବୁଦିଗରେ ଫେଲ୍ ମାରିଛି ତାଙ୍କ ପ୍ରତିଶ୍ରୁତି । କଂଗ୍ରେସ କହିଛି ୨କୋଟି ନିଯୁକ୍ତି , ଚାଷୀଙ୍କୁ ୫୦ ପ୍ରତିଶତ ଇନପୁଟ୍ ସବସିଡି, ଦଳିତ ଆଦିବାସୀ ମାନଙ୍କୁ ସୁରକ୍ଷା ଦବାରେ ପ୍ରତିଶ୍ରୁତି, କଳା ଟଙ୍କା କୁ ସାର୍ବଜନୀନ କରି ଜନତାଙ୍କ ବ୍ୟାଙ୍କ ଖାତାକୁ ଦେବାର ପ୍ରତିଶ୍ରୁତି କୁଆଡେ ଗଲା, ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏଭଳି ସବୁ ପ୍ରସଙ୍ଗକୁ ନେଇ ଆସନ୍ତା ୨୬ରେ ବିଜେପି ପାଳିବାକୁ ଥିବା ୪ର୍ଥ ବର୍ଷ ପୂର୍ତ୍ତିକୁ ଫିକା କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ।