ଭାରତରେ ପ୍ରବେଶ କଲେ ପାକିସ୍ତାନୀ ଆତଙ୍କବାଦୀ । ବଡ ଧରଣର ଆକ୍ରମଣ ନେଇ ଗୁଇନ୍ଦା ବିଭାଗର ସୂଚନା, ସଜାଗ ରହିଛି ସେନା

ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟରେ ରହିଛି ପଞ୍ଜାବର ସୁରକ୍ଷା ପ୍ରତିଷ୍ଠାନ

384

କନକ ବ୍ୟୁରୋ: ଭାରତକୁ ପଶିଲେ ପାକିସ୍ତାନୀ ଆତଙ୍କବାଦୀ । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟରେ ରହିଛି ପଞ୍ଜାବର ସୁରକ୍ଷା ପ୍ରତିଷ୍ଠାନ । ବୁଧବାର ଗୁଇନ୍ଦା ବିଭାଗ ପକ୍ଷରୁ ଆତଙ୍କବାଦୀଙ୍କ ପ୍ରବେଶ ନେଇ ସୂଚନା ପରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି ।
ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣର ଯୋଜନା କରୁଥିବା ସୂଚନା ମିଳିଛି । ତେବେ ଏକ ବଡ଼ ଧରଣର ଆକ୍ରମଣର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହୋଇଛି । ଏହା ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଥିଲା । ଏଭଳି ସୂଚନା ଦିଆଯିବା ପରେ ଏବେ ଜମ୍ମୁ ଓ ପଞ୍ଜାବର ସୁରକ୍ଷା ଟିମକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ପଠାନକୋଟ୍, ଜମ୍ମୁ, ଶ୍ରୀନଗର ଓ ଅବନ୍ତିପୁରାର ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।
ସୂଚନା ମୁତାବକ, ଆଜି ସକାଳ ସମୟରେ ଆକ୍ରମଣ ସୂଚନା ମିଳିବା ପରେ ସବୁ ସୁରକ୍ଷା ପ୍ରତିଷ୍ଠାନ ବିଶେଷ କରି ପଞ୍ଜାବ ଓ ଜମ୍ମୁର ଆଖପାଖରେ ଥିବା ସୁରକ୍ଷା ପ୍ରତିଷ୍ଠାନକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଭାରତୀୟ ବାୟୁସେନା ମଧ୍ୟ ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି । ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ପାକିସ୍ତାନ ବିରୋଧ କରିବା ସହ କୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଥିଲା ।