ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ନିସ୍ତୁକ ମାଡ ଘଟଣା : ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ଦାଦାଗିରିର ଆଉ ଏକ ଭିଡିଓ

37

ବୌଦ୍ଧ : ସାମ୍ନାକୁ ଆସିଛି ଢିସୁମ ପାର୍ଟ ଟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବିଜେଡି ନେତା ବିଜେପି କର୍ମୀଙ୍କୁ ଆକ୍ରମଣ କରିବାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ବିଜେଡି ନେତା ଓ କର୍ମୀଙ୍କ ଦାଦାଗିରି । ଏହି ଭିଜୁଆଲରେ ଦେଖିବାକୁ ମିଳୁଛି କିପରି ବିଜେଡି ନେତା ଛେଚି ଦେଇ ଯାଉଛନ୍ତି ବିଜେପି କର୍ମୀଙ୍କୁ । ଜଣେ ବିଜେପି କର୍ମୀଙ୍କ ଉପରେ ଦାଉ ସାଜୁଛନ୍ତି ନିଜକୁ ଶୃଙ୍ଖଳିତ କହୁଥିବା ବିଜେଡି ଦଳର କର୍ମୀ । ଲାତ, ଗୋଇଠା ଓ ନିର୍ଦ୍ଧୁମ ମାଡ । ଏକୁଟିଆ ବିଜେପି କର୍ମୀ ନିଜକୁ ବଂଚାଇବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ହେଲେ ନିର୍ଦ୍ଦୟତାର ସବୁ ସୀମା ଟପି ଯାଇଥିଲେ ବିଜେଡି ନେତା । ଏତିକିରେ ବି ମନ ବୁଝିଲାନି । ଅଳିଆଗଦାକୁ ଟାଣି ନେଇ ନିର୍ଦ୍ଧୁମ ପିଟିଲେ । ଆଉ ଏହାପରେ ଅତି ଆରାମରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଗାଡିରେ ବସି ଚାଲିଗଲେ । ସେପଟେ ପାଖରେ ଥିବା ଖାକି ବାବୁମାନେ ବି ଶାସକ ଦଳର ଏହି କର୍ମୀ ମାନଙ୍କୁ ଅଟକାଇବାକୁ ସାହାସ ଜୁଟାଇ ପାରୁନଥିଲେ । ଆଉ ନୀରବଦ୍ରଷ୍ଟା ସାଜିଥିଲା ପୁଲିସ । ପ୍ରଥମେ ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କୁ ଆକ୍ରମଣ ଓ ଏବେ ବୈାଦ୍ଧରେ ବିଜେପି କର୍ମୀଙ୍କୁ ଆକ୍ରମଣ । ଇଏ ବିଜେଡିର ରାଜନୈତିକ ଅସହିଷ୍ଣୁତା ନୁହେଁ ତ? କଣ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ବିରୋଧୀ ଦଳର ବିରୋଧ କରିବାର ଅଧିକାର ନାହିଁ?

ବିଜେଡି ନେତା ଓ କର୍ମୀଙ୍କ ଏହି ଦାଦାଗିରି ବିରୋଧରେ ୪ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିରହିଛନ୍ତିି ବିଜେପି କର୍ମୀ । ଶାସକ ଦଳର ଗୁଣ୍ଡାରାଜର ତୀବ୍ର ପ୍ରତିବାଦ କରିବା ସହ ଦୋଷୀ ବିଜେଡି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଆଗାମୀ ୪ ତାରିଖରେ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ।