ବିବାଦ ବଢ଼ାଇଲା ବିହାର ଲୋକସଭା ଆସନ ଭାଗବଣ୍ଟା । ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା ।

194

କନକ ବ୍ୟୁରୋ: ଜାତୀୟ ରାଜନୀତିର ବଡ଼ ଖବର । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଉପେନ୍ଦ୍ର କୁଶୱାହା ଦେଲେ ଇସ୍ତଫା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି କୁଶୱାହା ବୋଲି ସୂଚନା ମିଳିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପଦରେ ଥିଲେ ଉପେନ୍ଦ୍ର କୁଶୱାହା । ଏହାରି ମଧ୍ୟରେ ବଡ଼ କଥା ଶୁଣିବାକୁ ମିଳୁଛି ଯେ, ବିଜେପି ଦଳକୁ ବାଏ ବାଏ କରି ପାରନ୍ତି ବିହାରର (ଆରଏଲଏସପି)ର ମୁଖ୍ୟ  ଉପେନ୍ଦ୍ର କୁଶୱାହା ।

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସହିତ ସିଟ୍ ଭାଗବଣ୍ଟାକୁ ନେଇ କୁଶୱାହାଙ୍କ ବିବାଦ ବଢ଼ିବାରେ ଲାଗିଥିଲା । ବିହାରର ଆଞ୍ଚଳିକ ଦଳ (ଆରଏଲଏସପି)ର ମୁଖ୍ୟ ଉପେନ୍ଦ୍ର କୁଶୱାହା । ଏହି ବିବାଦର ସମାଧାନ ନହେବାରୁ ତେଣୁ ଆଜି ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି । ତେବେ ଆଗମୀ ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଡ଼ିୟୁ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଡିଲ୍ ହୋଇଥିବା କହିଥିଲେ କୁଶୱାହା । ସେହି ପରିପ୍ରେକ୍ଷୀରେ ଉଭୟ ବିଜେପି ଓ ଜେଡ଼ିୟୁ ୧୭ଟି ଲେଖାଏଁ ଲୋକସଭା ଆସନ ପାଇଁ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି ।

ବିହାରରେ ମୋଟ୍ ଲୋକସଭା ଆସନ ୪୦ ରହିଥିବାବେଳେ ଆରଏଲଏସପି ହାତରେ ଦୁଇଟି ସିଟ୍ ରହିଛି । ତେଣୁ କୁଶୱାହା ବିଜେପିକୁ ଏନେଇ ଅଧିକ ବିଚାର ବିମର୍ଷ କରିବା ପାଇଁ ଅନୁରୋଧ କରିଥିଲେ । ସେନେଇ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଡେଡ଼ଲାଇନ୍ ଦେଇଥିଲେ କୁଶୱାହା । କିନ୍ତୁ ତାଙ୍କ ଅନୁରୋଧକୁ ରକ୍ଷା କରିଲାନି ବିଜେପି ବୋଲି ମୋଦିଙ୍କ ମନ୍ତ୍ରିମଣ୍ଡଳକୁ ବାଏ ବାଏ କହିଛନ୍ତି ଆରଏଲଏସପିର ମୁଖ୍ୟ କୁଶୱାହା । ଶୁଣିବାକୁ ମିଳିଛି ଏବେ ବିଜେପିର ହାତ ମଧ୍ୟ ଛାଡ଼ି ଆଗାମୀ ନିର୍ବାଚନ ପାଇଁ ଆରଜେଡ଼ି ଏବଂ କଂଗ୍ରେସ ସହ ମେଣ୍ଟ କରିପାରେ ଆରଏଲଏସପି ।