ବିଜେପି ମନ୍ତ୍ରୀଙ୍କ ପାଦୁକା ପୂଜା !  କାଦୁଅ ଲାଗିଥିବା ଜୋତାକୁ ସର୍ବସମ୍ମୁଖରେ କର୍ମଚାରୀଙ୍କ ଦ୍ୱାରା କରାଇଲେ ସଫା

95

ବିଜେପି ମନ୍ତ୍ରୀଙ୍କ ଜୋତା ସଫା କଲେ କର୍ମଚାରୀ । ଗୋଟିଏ ପଟେ ଭିଆଇପି କଲଚରକୁ ଶେଷ କରିବାକୁ ବିଜେପି ଛାତି ପିଟି କହୁଥିବା ବେଳେ ଅନ୍ୟପଟେ ଦଳର ନେତା ସରକାରୀ କର୍ମଚାରୀଙ୍କ ଦ୍ୱାରା ଜୋତା ସଫା କରାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି । ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ସର୍ବସମ୍ମୁଖରେ ତାଙ୍କର ଜୋତାକୁ ଜନୈକ ସରକାରୀ ସହାୟକଙ୍କ ହାତରେ ସଫା କରାଉଥିବା ବେଳେ କ୍ୟାମେରା ଆଖିରେ ଧରାପଡ଼ି ବଡ଼ ହଟହଟା ହୋଇଛନ୍ତି। ଅନ୍ୟ ପକ୍ଷରେ ମନ୍ତ୍ରୀଙ୍କ ଜୋତା ସଫା କାଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇପଡ଼ିବା ପରେ ମନ୍ତ୍ରୀଙ୍କ ଏ ପ୍ରକାର ସାମନ୍ତବାଦୀ କାର‌୍ୟ୍ୟକୁ ନାପସନ୍ଦ କରାଯିବା ସହ ତାଙ୍କୁ ସବୁ ମହଲରୁ ନିନ୍ଦା କରାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ଗୁରୁବାର ଦିନ ଖୁସିନଗରରେ ଥିବା ବୁଦ୍ଧ ପିଜି କଲେଜକୁ ଏକ ବୃକ୍ଷରୋପଣ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ତେବେ କଲେଜର ପଡ଼ିଆ ଭିତରକୁ ଯାଇ ବୃକ୍ଷରୋପଣ କଲାବେଳେ ମନ୍ତ୍ରୀ ପିନ୍ଧିଥିବା ଜୋତାରେ କିଛି ମାଟି କାଦୁଅ ଲାଗି ଯାଇଥିଲା। ଏକଥା ଦେଖିବା ପରେ ମନ୍ତ୍ରିଜୀ ତାଙ୍କ ପାଇଜମାକୁ ଉପରକୁ ଟେକି ଧରି ତାଙ୍କ ସହ ଆସିଥିବା ଜଣେ କର୍ମଚାରୀଙ୍କ ଆଡ଼କୁ ଜୋତା ପିନ୍ଧା ପାଦକୁ ବଢ଼ାଇ ଦେବା ସହ ଜୋତାରେ ଲାଗିଥିବା କାଦୁଅକୁ ସଫା କରିବାକୁ କହିଥିଲେ। ମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ତାଙ୍କ ସହ ଆସିଥିବା କର୍ମଚାରୀ ହାତରେ ଖଣ୍ଡିଏ କନାଧରି ମନ୍ତ୍ରୀଙ୍କ ଜୋତାରୁ କାଦୁଅକୁ ପୋଛି ସଫା କରିଥିଲେ।

ତେବେ, ଏହି ସମୟରେ ସେଠାରେ ଉପସ୍ଥିତ ସମ୍ବାଦିକମାନେ ଯେତେବେଳେ ଏହି ଘଟଣାର ଫଟୋ ଉଠାଇଥିବା ମନ୍ତ୍ରୀ ଜାଣିବାକୁ ପାଇଲେ, ସେତେବେଳେ ସେ ଆଉ ସେଠାରେ ନରହି ତରତର ପାଦରେ ନିଜ ଗାଡ଼ି ଆଡ଼କୁ ପଳାଇ ଯିବାକୁ ବାହାରିଥିଲେ। ତଥାପି ସମ୍ବାଦିକମାନେ ଯେତେବେଳେ ତାଙ୍କର ପିଛା କରି ତାଙ୍କୁ ଘଟଣା ସଂପର୍କରେ ପଚାରିଥିଲେ ସେତେବେଳେ ସେ ଘଟଣାକୁ ଫାଙ୍କିଦେବା ସହ ମୋର କିଛି ମନେ ନାହିଁ, ମୋ ଜୋତା କେହି ସଫା କରିନାହାନ୍ତି ବୋଲି କହି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ହେଲେ, ପରେ ମନ୍ତ୍ରୀଙ୍କ ଜୋତା ସଫା କାଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇପଡ଼ିବା ପରେ ମନ୍ତ୍ରୀଙ୍କ ଏପ୍ରକାର ସାମନ୍ତବାଦୀ କାର‌୍ୟ୍ୟକୁ ସବୁ ମହଲରୁ ତୀବ୍ର ସମାଲୋଚନା କରାଯାଇଛି।

juel oramଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ନିଜ ଚପଲ ପିଏସଓଙ୍କ ଦ୍ୱାରା ଉଠାଇବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରାୟଗଡାରେ ଏକ କାର୍ଯ୍ୟକ୍ରମରେ ଜୁଏଲ ଖାଲି ପାଦରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଚପଲ ପିଏସଓ ଉଠାଇ ନେଇଥିଲେ । ଯାହାକୁ ସେତେବେଳେ ଲୋକେ ନାପସନ୍ଦ କରିଥିଲେ । ମୋଦି ସରକାର ଗୋଟିଏ ପଟେ ଭିଆଇପି କଲଚର ବନ୍ଦ କରିବାକୁ ଆହ୍ୱାନ କରୁଥିବା ବେଳେ କିନ୍ତୁ ମନ୍ତ୍ରୀଙ୍କ ଉପରେ ଏହାର କାଣିଚାଏ ପ୍ରଭାବ ପଡୁନାହିଁ । ବିଜେପି ନେତା ଭିଆଇପି କଲଚରରୁ ନିଜକୁ ଦୂରେଇ ରଖିପାରୁ ନାହାନ୍ତି । ଖାଲି ଜୁଏଲ ନୁହେଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଜୋତାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ମଧ୍ୟପ୍ରଦେଶରେ ବନ୍ୟାଞ୍ଚଳ ପରିଦର୍ଶନ ସମୟରେ କେବଳ ଜୋତା ଓଦା ନ ହେବ ବୋଲି ଶିବରାଜଙ୍କୁ ହାତରେ ଟେକି ଆଣିଥିଲେ ସାଙ୍ଗରେ ଥିବା ପୋଲିସ ଅଧିକାରୀ । ଯାହାକୁ ନେଇ ସେତେବେଳେ ଜୋର ଚର୍ଚ୍ଚା ହୋଇଥିଲା ।