ବାଲେଶ୍ୱରରେ ବଡ ଧରଣର ବାଣ ବିସ୍ଫୋରଣ ! ମୁହୁର୍ତ୍ତକରେ ଲିଭିଗଲା ଅନେକ ଜୀବନ

54

କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ ବଡ ଧରଣର ଅଘଟଣ । ବିସ୍ଫୋରଣରେ ଉଡିଗଲା ବାଣ ଫ୍ୟାକଟ୍ରୀ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ବୁଧବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣା ପୁରା ଅଂଚଳକୁ ସ୍ତବ୍ଧ କରିଦେଇଛି । ବାଣ ବିସ୍ଫୋରଣରେ ୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାବଲପୁର ଗାଁରେ ବାଣ ତିଅରି ବେଳେ ବିସ୍ଫୋରଣ ଘଟିଥିଲା । ଗ୍ରାମର ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । କୁହାଯାଉଛି, ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଥିଲା । ଫଳରେ କାମ କରୁଥିବା ଶ୍ରମିକ କେହି ବାହାରକୁ ବାହାରି ପାରିନଥିଲେ । ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ନିଆଁକୁ ଆୟତ କରିବାକୁ ଦମକଳବାହିନୀ ନାକେଦମ ହୋଇଥିଲା । ସେପଟେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କ ଚିକିତ୍ସାକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଗତ ୨୪ ଘଂଟା ଭିତରେ ଅନେକ କ୍ଷୟକ୍ଷତି ଘଟିଛି । ମଙ୍ଗଳବାର ରାତିରେ ରାଉରକେଲା ପାୱାରହାଉସ ସ୍ଥିତ ବାଣବଜାରରେ ନିଆଁ ଲାଗିଯିବାରୁ ଘଟଣସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ବହୁ ଲୋକ ଆହତ ହୋଇଥିଲେ । ୨ କୋଟିରୁ ଅଧିକ ମୁଲ୍ୟର ବାଣ ନଷ୍ଟ ହୋଇଥିଲା । ସେହିଭଳି ପୁରୀ ଅନ୍ତର୍ଗତ ପିପିଲିରେ ବୁଧବାର ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ ।