ପୁଣି ଚାଷ ଜମିକୁ ଫେରିଲେ ଖଣି ଅଞ୍ଚଳର ମଣିଷ : ଜୈବିକ ଖତ ପ୍ରୟୋଗ କରି ପାହାଡିଆ ଜମିରେ ଫଳାଇଲେ ପନିପରିବା

425

କନକ ବ୍ୟୁରୋ : ସଂକଟରେ ଖଣି ଅଂଚଳବାସୀଙ୍କ ଜୀବନ ଜୀବିକା । ଖଣି ଖାଦାନରେ ମେସିନ କାମ କରୁଥିବା ଜୀବିକା ହରାଉଛନ୍ତି ଶ୍ରମିକ । ତଥାପି ପେଟପାଟଣା ପାଇଁ ଜୀବନ ଯୁଦ୍ଧରେ ହାରି ନାହାନ୍ତି, ଯୋଡା ଖଣି ଅଂଚଳର ମଣିଷ । ପୁଣି ଫେରିଛନ୍ତି ଚାଷକୁ । ଆଉ କ୍ଷେତରେ ଫଳାଇଛନ୍ତି ସୁନାର ଫସଲ । ରସାୟନିକ ସାର ବଦଳରେ ଖତ ଦେଇ ପନିପରିବାର ଚାଷ କରି ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ ।

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଉଚ୍ଚବାଲି ଗାଁରେ ସବୁଜ ସନ୍ଦର ଶସ୍ୟ ସାମଳା କ୍ଷେତ । ପୁରୁଷ-ମହିଳା ସମସ୍ତେ କୋଡି-କୋଦାଳ ଧରି ଲାଗିଛନ୍ତି କାମରେ । ଆଉ ୧୨ ଏକର ପରିମିତ ପାହାଡି ଜମିରେ ଫଳିଛି ଲାଉ, କଖାରୁ, କାକୁଡି, କଲରା, ଭେଣ୍ଡି, ବାଇଗଣ ଓ ଝୁଡଙ୍ଗ ଭଳି ପନିପରିବା । ସବୁଠାରୁ ବଡ କଥା ହେଉଛି ଆପଣ ଦେଖୁଥିବା ଏହି ଫସଲରେ ରସାୟନିକ ସାର ବ୍ୟବହାର କରିନାହାନ୍ତି ଉଚ୍ଚବାଲି ଗାଁର ଚାଷୀ । କେବଳ ଜୈବିକ ଖତ ଦେଇ ଚାଷ କରାଯାଇଛି । ଆଉ ଏହି ଫସଲକୁ ନିକଟସ୍ଥ ବଜାରରେ ବିକ୍ରି କରି ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ କରୁଛନ୍ତି ଖଣି ଅଂଚଳର ମଣିଷ ।

ଖଣି ଖାଦାନ ଭରା ଉଚ୍ଚବାଲି ଗାଁ । ଗାଁ ଚାରିପଟେ ଖାଲି ଖଣି ଆଉ ଖଣି । କିନ୍ତୁ ଏଠାକାର ଲୋକଙ୍କୁ କାମ ମିଳୁନାହିଁ । ଖଣିରେ ମେସିନ କାମ କରୁଥିବାରୁ ଶ୍ରମିକମାନେ କାମ ହରାଇ ପେଟପାଟଣା ଚିନ୍ତାରେ ପଡିଥିଲେ । କିନ୍ତୁ ଶେଷରେ ଉଚ୍ଚବାଲି ଗ୍ରାମବାସୀ ପୁଣି ଚାଷକୁ ଫେରିବା ପାଇଁ ମନସ୍ତ କଲେ । ନିକଟରେ ବହି ଯାଉଥିବା ନାଳରୁ ପାଣି ଆଣି ପନିପରିବା ଚାଷ କଲେ । ଆଉ ଏ ହେଉଛି ଏବେର ସ୍ଥିତି । ସରକାରୀ ସହାଯ୍ୟ ସହ ନିଜର ଶ୍ରମ ମିଶାଇ ଜମିରେ ସୁନା ଫଳାଇଛନ୍ତି ଗ୍ରାମବାସୀ । କାମ ଅଭାବରୁ ଭାଙ୍ଗି ପଡୁଥିବା ଖଣି ଅଂଚଳର ଶ୍ରମିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଉଚ୍ଚବାଲି ଗାଁର ଶ୍ରମିକ ।