ପାହାନ୍ତି ରାତିର ବଡ଼ ଦୁର୍ଘଟଣା : ନିଦୁଆ ଆଖି ଫିଟିବା ପୂର୍ବରୁ ଚାଲିଗଲା ପ୍ରାଣ, ତପ୍ତପାଣି ଘାଟିରେ ବସ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା

892

କନକ ବ୍ୟୁରୋ : ସମୟ ପ୍ରାୟ ଥିଲା ୩ଟାରୁ ସାଢ଼େ ୩ଟା । ଜଗି ବସିଥିଲା ମୃତ୍ୟୁ । ବସ୍ ଯାତ୍ରା ହେଲା ଶେଷ ଯାତ୍ରା । ବସରେ ଚାଲିଗଲା ପ୍ରାଣ । କାଳ ହେଲା କୁହୁଡ଼ି । ଶ୍ରୀସାଇ ନାମକ ବସଟି ତପ୍ତପାଣି ଘାଟିରେ ଓଲଟି ପଡ଼ିଲା । ନିଦୁଆ ଆଖି ଫିଟିବା ପୂର୍ବରୁ ଦୁର୍ଘଟଣା ସ୍ଥଳରେ ୫ଜଣଙ୍କ ଜୀବନ ଚାଲିଗଲା । କିଏ ବାପାଙ୍କୁ ହରାଇଲା କିଏ ଭାଇ ତ ଆଉ କିଏ ମା’କୁ । ଘନ ଅନ୍ଧାରରେ ଶୁଭିଲା ଆର୍ତ୍ତ ଚିତ୍କାର । କିଛି ଜାଣିବା ପୂର୍ବରୁ ଚାଲିଗଲା ଜୀବନ ।

ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛି । ମେଡ଼ିକାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ମୋହନା ବ୍ଲକ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ଗ୍ୟାସ କଟରରେ ବସର ଡୋର କାଟି ଆହତମାନଙ୍କୁ ବାହାରକୁ ଉଦ୍ଧାର କରାଯାଉଛି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ନିଆଯାଇ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମକେସିଜି ମେଡ଼ିକାଲରେ ୧୨ ଜଣ ଗୁରୁତର ଆହତ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ୩ ଜଣ ମହିଳା ଓ ଅନ୍ୟ ୯ ଜଣ ପୁରୁଷ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେପଟେ ଦୁର୍ଘଟଣାଗ୍ରସ୍ତ ବସ ତଳେ ଏବେ ବି ଅନେକ ଯାତ୍ରୀ ଜୀବିତ ରହିଥିବା ଖବର ମିଳୁଛି ।


ସେପଟେ କାନ୍ଦବୋବାଳିରେ ଫାଟିପଡ଼ୁଛି ମେଡ଼ିକାଲ ପରିସର । ହେଲେ ଦିଗପହଣ୍ଡି ମେଡ଼ିକାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ଆହତ ଓ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ସୁଦ୍ଧା ଡାକ୍ତରଙ୍କ ଦେଖା ନାହିଁ । ଜଣେ ଫାର୍ମାସିଷ୍ଟଙ୍କ ଆଉ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆହତଙ୍କ ଚିକିତ୍ସା କରୁଛନ୍ତି ।