ପରୀକ୍ଷା ଦେବାକୁ ପିଲାଙ୍କ ବିପଦସଙ୍କୁଳ ଯାତ୍ରା : ଟ୍ରାକ୍ଟର ଉପରେ ବସି ନଦୀ ପାର ହେଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବରଗଡ ପାଇକମାଲର ବିଚିତ୍ର ଦୃଶ୍ୟ 

372

କନକ ବ୍ୟୁରୋ : ଟ୍ରାକ୍ଟରରେ ବସି ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ  । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚର୍ଦ୍ଦାପାଲି ଠାରେ । ପରୀକ୍ଷା ଦେବା ପାଇଁ କିଛି ଛାତ୍ରଛାତ୍ରୀ ଟ୍ରାକ୍ଟରରେ ଓ କିଛି ପିଲା ଚାଲି ଚାଲି ନଈ ପାର ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚର୍ଦ୍ଦାପାଲ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବା ପାଇଁ ଜଗଦଲପୁର ସ୍କୁଲକୁ ଯାଉଛନ୍ତି । ଏବେ ଅଦିନିଆ ବର୍ଷା ଯୋଗୁଁ ଅଙ୍ଗ ନଦୀରେ ପାଣି ଆସୁଛି । ତେଣୁ ଛାତ୍ରଛାତ୍ରୀମାନେ ଟ୍ରାକ୍ଟରରେ ବସି ନଈ ପାର ହେଉଛନ୍ତି । ନଈ ସେପଟେ ଏକ ବଲେରୋରେ ବସି ଚର୍ଦାପାଲିରୁ ୧୩ କିଲୋମିଟର ଦୂରରେ ଥିବା ଜଗଦଲପୁର ସ୍କୁଲକୁ ପରୀକ୍ଷା ଦେବାକୁ ଯାଉଛନ୍ତି । ଗମନା ଗମନର ସୁବିଧା ନଥିବା  ହେତୁ ଛାତ୍ରଛାତ୍ରୀ ମାନେ ବଧ୍ୟ ହୋଇ ଏପରି ଦୟନୀୟ ଅବସ୍ଥାରେ ଯାତାୟତ କରୁଥବା ଜଣା ପଡିଛି  । ପରୀକ୍ଷା ପାଇଁ ପିଲାଙ୍କ ଏପରି ବିପଦ ସଙ୍କୁଳ ଯାତ୍ରାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାୟତଃ ସମୟ ଚର୍ଦାପାଲି ଅଂଚଳ ଅଙ୍ଗନଦୀ ଯୋଗୁ ଉପଖଣ୍ଡ ଠାରୁ ବିଛିନ୍ନ ହୋଇ ରହିଥାଏ । ବର୍ଷା ଦିନ ଏଠାକୁ ଯିବା ଆସିବା ପାଇଁ କେବଲ ମାତ୍ର ଡଙ୍ଗା ହିଁ ଏକ ମାତ୍ର ଭରସା  ।