ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ପୁନଃର୍ବିଚାର ଆବେଦନ ? ସୁପ୍ରିମକୋର୍ଟରେ ଆବେଦନ କଲା ଦୋଷୀ ଅକ୍ଷୟ । ପୂର୍ବରୁ ୩ ଦୋଷୀଙ୍କ ଖାରଜ ହୋଇଛି ଆବେଦନ

670

କନକ ବ୍ୟୁରୋ: ହାଇଦ୍ରାବାଦର ହୃଦୟଥରା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କ ଉପରେ । ହାଇଦ୍ରାବାଦ ଦିଶା ଦୋଷୀଙ୍କୁ ସଫା କରି ପୋଲିସ ଯେଉଁଭଳି ଭାବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେଲା । ଠିକ ସେହିଭଳି ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦେଇ ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଦାବି ହେଉଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳି ସାରିଥିଲେ ବି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଶୀଘ୍ର ଫାଶୀ ଦିଆଯାଉ ବୋଲି ସାରା ଦେଶରେ ଦାବି ଜୋର ଧରିଛି ।

ତେବେ ଗୋଟିଏ ପଟେ ଦୋଷୀଙ୍କୁ ଫାଶୀ ପାଇଁ ଦେଶ ଦାବି କରୁଥିବା ବେଳେ ଅନ୍ୟପଟେ ଫାଶୀରୁ ବର୍ତ୍ତିବାକୁ ଦୋଷୀମାନେ ସୁପ୍ରିମକୋର୍ଟରେ ମାମଲାର ପୁନଃର୍ବିଚାର ପାଇଁ ଆବେଦନ କରିଛନ୍ତି । ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପୁନଃର୍ବିଚାର ଆବେଦନ କରିଛନ୍ତି । ଫାଶୀରୁ ବଞ୍ଚିବାକୁ ଦୋଷୀ ଅକ୍ଷୟ କୁମାର ସିଂହ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି ।

ସେପଟେ ଅକ୍ଷୟଙ୍କ ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟ ଦୋଷୀ ବିନୟ, ପବନ ଓ ମୁକେଶଙ୍କ ପୁନଃର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ନିର୍ଭୟା ଭଳି ଅତି ଅମାନୁଷିକ ମାମଲାରେ କୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀରେ ଝୁଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁନଃର୍ବିଚାର ଆବେଦନକୁ ଖାରଜ କରିଥିଲେ କୋର୍ଟ ।

ତେବେ ମାମଲାର ଦୋଷୀ ବିନୟ ପୂର୍ବରୁ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଥିଲେ ବି ଗୃହମନ୍ତ୍ରାଳୟ ପକ୍ଷରୁ ଏହାକୁ ଖାରଜ କରିଦେଇଥିଲା । ଆଉ ଆଜି ପୁନଃର୍ବିଚାର ପାଇଁ ଦୋଷୀ ଅକ୍ଷୟ ଆବେଦନ କରିଛି । ତେବେ ୭ ବର୍ଷ ହେବ ନିର୍ଭୟା ଭଳି ନିର୍ମମ ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିନି କି ନିର୍ଭୟା ପରିବାରକୁ ନ୍ୟାୟ ମିଳିପାରିନଥିବା ବେଳେ ଅକ୍ଷୟଙ୍କ ପୁନଃର୍ବିଚାରକୁ ସୁପ୍ରିମକୋର୍ଟ କଣ କରୁଛନ୍ତି ତାରି ଉପରେ ନଜର ।