ନମୋ ଆପ ଜରିଆରେ ଚାଷୀଙ୍କ ସହ ଆଲୋଚନା କଲେ ମୋଦି ! କହିଲେ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ

32

କନକ ବ୍ୟୁରୋ : ନମୋ ଆପ ଜରିଆରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଦେଶପାଇଁ ଚାଷୀ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଚାଷୀଙ୍କ ଆୟରେ ଥିବା ପ୍ରତିବନ୍ଧକକୁ ଦୂର କରାଯାଉଛି । ଏଥିସହ ଚାଷୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି । କୃଷି ବିଜେଟକୁ ଦୁଇଗୁଣା କରାଯାଇଛି । ଫସଲ ବୀମା ଯାଜନାରେ ଚାଷୀଙ୍କୁ ଫାଇଦା ସହ ବିହନରୁ ବଜାର ପର୍ଯ୍ୟନ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । କୃଷକଙ୍କ ପାଇଁ ଶହେ ପ୍ରତିଶତ ନିମ୍ କୋଟିଙ୍ଗ ୟୁରିଆ ମିଳୁଛି ବୋଲି ସେ କହିଛନ୍ତି ।

ଭିଡିଓ କନ୍ଫରେନ୍ସିଙ୍ଗରେ ଚାଷୀଙ୍କୁ ଉଦବୋଧନ ଦେଇ ମୋଦି କହିଲେ, ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟ ଯେମିତି ଦୁଇଗୁଣ ହେବ ସେ କଥା ନିଶ୍ଚିତ କରିବାକୁ ଆମ ସରକାର କାମ କରୁଛି । ସେଥିପାଇଁ ଯେତେବେଳେ ଯାହା ସହଯୋଗ ଆବଶ୍ୟକ ଆମେ ତା’ର ସୁବିଧା କରୁଛୁ । ଭାରତର ଚାଷୀଙ୍କ ଉପରେ ଆମର ବିଶ୍ୱାସ ଅଛି । ଭାତରର ୬୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାର ଚାଷୀମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଥିଲେ।ସେ କହିଲେ ଯେ, କୃଷି ଆୟ ବଢ଼ାଇବାକୁ ସରକାରଙ୍କ ନୀତିର ଚାରି ସ୍ତମ୍ଭ ହେଉଛି ବିନିଯୋଗ ଖର୍ଚ୍ଚ କମାଇବା, ଫସଲର ଉପଯୁକ୍ତ ମୂଲ୍ୟ, ଫସଲ ପଚିଶଢ଼ା ହେବାରୁ ରକ୍ଷା କରିବା ଏବଂ ବିକଳ୍ପ ରୋଜଗାର ସୂତ୍ର ସୃଷ୍ଟି କରିବ । ସେ ପୁଣି କହିଲେ ଯେ ଦେଶ କେବଳ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେବା ଦେଖୁ ନାହିଁ, ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ସବୁ ସମୟରେ ଅଧିକ ହେଉଛି ।

କୃଷିର ସମସ୍ତ ପର୍ୟ୍ୟାୟରେ ଚାଷୀମାନଙ୍କୁ ସହାୟତା ଯୋଗାଇବାକୁ ଆମର ଉଦ୍ୟମ ଚାଲିଛି । ବିହନ ବୁଣିବା ଠାରୁ ଫସଲ ଅମଳ ହେବା ଯାଏ ସହାୟତା ଯୋଗାଇ ଦିଆଯିବ।ମାଟିର ପୋଷକତତ୍ତ୍ୱ ବୁଝିବା ପାଇଁ ଚାଷୀମାନଙ୍କୁ ସଏଲ୍ ହେଲ୍ଥ୍ କାର୍ଡ ଯୋଗାଇ ଦିଆଯିବା ସହ ସାର ପ୍ରୟୋଗର ମାତ୍ରା ବୁଝାଇ ଦିଆଯିବ । ଉତ୍ତମ ମାନର ବିହନ କ୍ରୟ କରିବାକୁ ଋଣ ଯୋଗାଇ ଦିଆଯିବ। ଫସଲ ବିକ୍ରୟ ବେଳେ ମଧ୍ୟସ୍ଥି ହଟାଇବାକୁ ଅନ୍ଲାଇନ୍ ପ୍ଲାଟଫର୍ମ ଇ-ନାମ ଆରମ୍ଭ କରାଯାଇଛି।