ଦଳ ବିରୋଧୀ ନେତାଙ୍କ ପାଇଁ କଠୋର ହେଉଛି କଂଗ୍ରେସ ! ନିରଞ୍ଜନ କହିଲେ, ନେତା ନୁହେଁ ଦଳ ଗୁରୁତ୍ୱପୂର୍ଣ୍ଣ

214

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ନେତାଙ୍କ ବିଦ୍ରୋହ । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ସେପଟେ ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି ପିସିସି । ଆଜି ପିସିସି ସଭାପତି କହିଛନ୍ତି, ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଛିି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ବିଦ୍ରୋହକୁ ନେଇ ଅଡୁଆରେ ପଡିଯାଇଛି ରାଜ୍ୟ କଂଗ୍ରେସ । ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ପିସିସି ସଭାପତି । ସେପଟେ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଉଭୟ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଯୋଗେଶ । ହେଲେ ଶୃଙ୍ଖଳାଗତ କମିଟିର ନିଷ୍ପତ୍ତି ଉପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କାରଣ ଦର୍ଶାଅ ନୋଟିସ ନକରି ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଦେଶର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ ଭୁଲ କୋଉଠି ରହିଲା ବୋଲି ସେ ପ୍ରଶ୍ନ କରୁଛନ୍ତି । କାରଣ ପୂର୍ବରୁ ୟୁପିଏ ସରକାର ସମୟରେ ଅନେକ ମନ୍ତ୍ରୀ ଓଡିଶା ଆସି ନବୀନଙ୍କୁ ପ୍ରଂଶସା କରିଛନ୍ତି ।

ଦଳବଦଳ ଆଭିମୁଖ୍ୟ ସହ ବାହାରେ ବୟାନ ରଖୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପିସିସି ସଭାପତି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଆଉ ସେହି କ୍ରମରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଟିକେଟ୍ କଟିବା ସମ୍ଭାବନା ବଢିଯାଇଛି । କାରଣ ନିରଞ୍ଜନ କହିଛନ୍ତି କୃଷ୍ଣ ସଗରିଆ ତାଙ୍କ ଆଚରଣରେ ପରିବର୍ତନ ଆଣିଲେ ତାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ ଦିଆଯିବା ନେଇ ଚିନ୍ତା କରାଯିବ ।

ଗୋଟିଏ ପଟେ ନିଜ ଦଳର ବିଶୃଙ୍ଖଳ ନେତାଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖିଛନ୍ତି ନିରଞ୍ଜନ । ଅନ୍ୟପକ୍ଷରେ ବିଜେଡିକୁ ବି ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ବିଜେଡି ଭୟଭୀତ ହୋଇ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ପକାଉଥିବା ଅଭିଯୋଗ ଆଣିଛନ୍ତି । ହେଲେ ଦଳର ଅନ୍ୟତମ ବରିଷ୍ଠ ନେତା ସୁର ରାଉତରାୟଙ୍କ ମତ ହେଲା, ନିର୍ବାଚନ ଆସିଲେ ନେତା ଦଳ ଛାଡିବା କଂଗ୍ରେସର ପୁରୁଣା ରୋଗ । ସେପଟେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଆହୁରି ଅନେକ କଂଗ୍ରେସ ଓ ବିଜେପି ନେତା ବିଜେଡି ଆଡକୁ ମୁହାଁଇବେ ।