ଟିକେଟ ନମିଳିବାରୁ ରଘୁନାଥପାଲ୍ଲୀ ବିଜେଡ଼ିରେ ବିଦ୍ରୋହ ! ଦଳରୁ ଇସ୍ତଫା ଦେଲେ ଆଶାୟୀ ପ୍ରାର୍ଥୀ ପ୍ରଶାନ୍ତ ସେଠୀ

303

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଟିକେଟ ବଂଟନ ଆରମ୍ଭ କରିଦେଇଛନ୍ତି । ବିଜେଡ଼ି, କଂଗ୍ରେସ ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ବିଜେପି ଆଜିଯାଏ କୌଣସି ତାଲିକା ପ୍ରକାଶ କରିନାହିଁ । ପ୍ରାର୍ଥୀ ତାଲିକା ଘୋଷଣା ପରେ ଟିକେଟ ପାଇନଥିବା ଆଶାୟୀମାନେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି । ଟିକେଟ୍ ନ ମିଳିବା କାରଣରୁ ନେତାଙ୍କ ଇସ୍ତଫା ଓ ଦଳ ଅଦଳ ବଦଳ ଜାରି ରହିଛି । ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଚାଲିଛି ଡିଆଁଡ଼େଇଁ ପର୍ବ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଟାଣୁଆ ନେତାମାନେ ଟିକେଟ ନମିଳିବାରୁ ଦଳ ଛାଡ଼ୁଛନ୍ତି । ଯାହା ସମସ୍ତ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି କ୍ରମରେ ରଘୁନାଥପାଲ୍ଲୀ ବିଜେଡ଼ିରେ ବିଦ୍ରୋହ ଦେଖାଦେଇଛି । ବିଧାନସଭା ପ୍ରାର୍ଥୀ ଭାବେ ସୁବ୍ରତ ତରାଇଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ତେବେ ଏଥିରେ ଅସନ୍ତୁଷ୍ଟ ବରିଷ୍ଠ ବିଜେଡ଼ି ନେତା ତଥା ଆଶାୟୀ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ପ୍ରଶାନ୍ତ ସେଠୀ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ଅଛନ୍ତି । ତେବେ ଟିକେଟ ନମିଳିବା ପରେ ଇସ୍ତଫା ଦେବା ସହ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଶୁଣିବା ପାଇଁ ମିଳୁଛି ।

ପ୍ରଶାନ୍ତ ସେଠୀ କହିଛନ୍ତି ୨୦୦୯ରେ ମୁଁ ଆଶାୟୀ ପ୍ରାର୍ଥୀ ଥିଲି । ସାଧାରଣ ଜନତା ମୋତେ ଟିକେଟ ମିଳୁବୋଲି ଚାହୁଁଥିଲେ ଓ ମୋତେ ସମର୍ଥନ କରୁଥିଲେ । ହେଲେ ସେତେବେଳେ ମୋତେ ଟିକେଟ ମିଳିନଥିଲା । ତଥାପି ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ ମୁଁ କାମକଲି । ଆଉ ତା’ପରେ ୨୦୧୪ରେ ବି ମୋତେ ଟିକେଟ ଦିଆଗଲାନାହିଁ । ତଥାପି ପ୍ରତିବାଦ ନକରି ମୁଁ ଦଳପାଇଁ କାମ କଲି । ଆଉ ଏବେ ୨୦୧୯ରେ ନିର୍ବାଚନ ପାଇଁ ମୋତେ ଟିକେଟ ନଦେବାକୁ ମୁଁ ମର୍ମାହତ । ବିଜୁ ଜନତା ଦଳ ଯାହା କହେ ତାହା କରେନି ବୋଲି ସେ କହିଛନ୍ତି । ଟିକେଟ ନମିଳିବାରୁ ମୁୁଁ ମର୍ମାହତ । ତେବେ ଏଥିରେ ବିଜେଡ଼ି ସୁପ୍ରିମୋଙ୍କର କିଛି ଭୁଲ ନାହିଁ । ତାଙ୍କ ପାଖରେ ଥିବା କର୍ମୀମାନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ ସେଠୀ ।