ଜେରାବେଳେ ଅବଦୁଲ ରେହମାନର ଚାଂଚଲ୍ୟକର ଖୁଲାସା: ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଅଲକାଏଦାର ସ୍ଲିପର ସେଲ

31

ଝାଡଖଣ୍ଡ :ଅଲକାଇଦା ଆତଙ୍କବାଦୀ ଅବଦୁଲ ରହେମାନ ଓରଫ୍ କଟକୀର ନେଟୱର୍କର ଗୋଟିକ ପରେ ଗୋଟିଏ ଗୁମର ପଦାକୁ ଆସୁଛି । ଓଡ଼ିଶାର ବିଚ୍ଛିନ୍ନାଂଚଳ ଷଢେଇକଳା ଓ ଖରସୁଆଁରେ ବି ଥିଲା ତାର ନେଟୱର୍କ । ଆଲକାଇଦା ଓ ଆଇଏସଆଇଏସରେ ଯୁବକମାନଙ୍କୁ ଭର୍ତି କରି ସାରା ଦୁନିଆରେ ଆତଙ୍କ ଖେଳାଇବାକୁ ପ୍ରବର୍ତାଉଥିଲା କଟକୀ । ଏହା ସହ ଅଲକାଇଦା ପାଇଁ ସେଠାରେ ଗଢିଥିଲା ସ୍ଲିପର ସେଲ୍ । ସବୁ ପରିସ୍ଥିତି ପାଇଁ ସଜାଗ ରଖାଯାଇଥିଲା ସ୍ଲିପର ସେଲର ଗୁପ୍ତ ସଦସ୍ୟ ଗୋଷ୍ଠୀକୁ । ଷଢେଇକଳା ଓ ଖରସୁଆଁ ସମେତ ଝାଡଖଣ୍ଡର ଜାମସେଦପୁର, ରାଂଚି ଓ ଛତ୍ରା ଜିଲ୍ଲାରେ ସ୍ଲିପର ସେଲ ସଦସ୍ୟଙ୍କ ବଡ ନେଟସ୍ୱର୍କ ତିଆରି କରିଥିଲା ଅବଦୁଲ ରେହମାନ କଟକୀ । ନିଜକୁ ଗୁପ୍ତ ରଖି ଏହି ସଦସ୍ୟମାନେ ଅଲକାଇଦା କମାଣ୍ଡରର ଇସାରାକୁ ଅପେକ୍ଷା କରି ରହିଥିଲେ । ଯେକୌଣସି ସମୟରେ ବଡ ଧରଣର ଆତଙ୍କ ଖେଳାଇବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଉଭୟ କଟକୀ ଓ ତାର ସହଯୋଗୀଙ୍କୁ ଜେରା କରିବା ବେଳେ ଏପରି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଯାହା ନିଦ ହଜାଇ ଦେଇଛି ସୁରକ୍ଷା ଅଧିକାରୀଙ୍କର । କେବଳ ଏତିକି ନୁହେଁ ଜାମସେଦପୁରର ଜଣେ ବିଲଡର୍ ସେମାନଙ୍କୁ ବଡ ଧରଣର ଆର୍ଥôକ ସହାୟତା ଯୋଗାଇ ଦେଉଥିଲା । ଝାଡଖଣ୍ଡର ଅନେକ ଯୁବକଙ୍କୁ ପାକିସ୍ତାନ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ଥିବା ଅଲକାଇଦା ଆତଙ୍କବାଦୀ ସଂଗଠନର ତାଲିମ ଶିବିରକୁ ପଠାଉଥିଲା କଟକୀ । ଗତ ବୁଧବାର ଠାରୁ କଟକୀ ଓ ତାର ସହଯୋଗୀ ସହମ୍ମଦ ସାମିକୁ ଝାଡଖଣ୍ଡର ବଛା ବଛା ଅଧିକାରୀ ଜେରା କରୁଛନ୍ତି । ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ସେହି ଆଧାରରେ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ଝାଡଖଣ୍ଡ ପୁଲିସ ତନାଘନା ଆରମ୍ଭ କରିଛି ।