ଜବରଦଖଲକାରୀଙ୍କ ଦଖଲରେ ରାଜଧାନୀ ଫୁଟପାଥ୍ ! ଉଚ୍ଛେଦକାରୀ ଟିମ୍ ଚାନ୍ଦା ନେଇ ଚୁପ୍

100

କନକ ବ୍ୟୁରୋ : ରାଜଧାନୀର ସମସ୍ତ ଫୁଟପାଥ୍‌ କେବଳ ପଥଚାରୀ ଏବ˚ ସାଇକେଲ୍‌ ଚାଳକଙ୍କ ପାଇଁ ସ˚ରକ୍ଷିତ ରହିବ । କୌଣସି ପରିସ୍ଥିତିରେ ବି ଫୁଟପାଥ୍‌ ଉପରେ ଜବରଦଖଲକୁ ସହ୍ୟ କରାଯିବନି । ଯେଉଁଠି ଫୁଟପାଥ୍ ଜବରଦଖଲ ଥିବ ତାକୁ ତୁରନ୍ତ ହଟାଯିବ । ଜବରଦଖଲକାରୀଙ୍କ ସାମଗ୍ରୀ ଜବତ କରି ଜରିମାନା ଆଦାୟ କରାଯିବ । ଏହା କେବଳ ବିଡିଏ/ବିଏମ୍‌ସି କାର‌୍ୟ୍ୟାଳୟରେ ବସି ନିଆଯାଇଥିବା ନିଷ୍ପତ୍ତି । ଏହା କେତେଦୂର କାର୍ଯ୍ୟକାରୀ ହେଉଛି, ତାହା କାହାକୁ ଜଣାନାହିଁ । କେବଳ ଯୋଜନା ଆରମ୍ଭ କରିଦେଉଛନ୍ତି, ତାହା କାର‌୍ୟ୍ୟକାରୀ ହେଉଛି କି ନାହିଁ ତଦାରଖ କରିପାରୁନାହାନ୍ତି । ଯାହା ଏବେ ରାଜଧାନୀର ଯେ କୌଣସି ସ୍ଥାନର ଫୁଟ୍‌ପାଥ୍‌ ଉପରେ ଆଖି ବୁଲାଇ ଆଣିଲେ ଜଣାପଡ଼ୁଛି ।

ରାଜଧାନୀର ଫୁଟପାଥ୍‌ଗୁଡ଼ିକୁ କେଉଁଠି ଉଠା ଦୋକାନୀ ନିଜ ଦଖଲରେ ରଖିଛନ୍ତି ‌ତ କେଉଁଠି ଅଟୋ ଷ୍ଟାଣ୍ଡ ହୋଇଛି । ଅଧିକାଂଶ ସ୍ଥାନରେ ଜଳଖିଆ ଦୋକାନ, ଫଳ ଦୋକାନ, ପରିବା ବ୍ୟବସାୟୀ ଏବଂ ଖୁଚୁରା ବ୍ୟବସାୟୀ ଫୁଟପାଥ୍‌କୁ ମାଡ଼ି ବସିଛନ୍ତି ।  ଜୟଦେବ ବିହାର ଛକରେ ଫୁଟପାଥ୍ ଉପରେ ଜଳଖିଆ ଦୋକାନ ଥିବା‌େବଳେ ଟିକିଏ ଆଗକୁ ଗଲେ ଅଟୋଗୁଡ଼ିକ ଧାଡ଼ିଧାଡ଼ି ହୋଇ ରହିଛି । ସିଆର୍‌ପି ଛକରୁ ଷ୍ଟିୱାର୍ଟ ସ୍କୁଲ ମଧ୍ୟରେ ଫୁଟ୍‌ପାଥ୍ ଅଛି ବୋଲି ତ ଜଣାପଡ଼ୁନି । ଗୋଟିଏ ପାର୍ଶ୍ବରେ ହୋଟେଲ ଫୁଟ୍‌ପାଥ୍‌କୁ ମାଡ଼ି ବସିଥିବାବେଳେ ଆଉ ଗୋଟିଏ ପାର୍ଶ୍ବରେ ଫଳ ଦୋକାନୀ ମାଡ଼ି ବସିଛନ୍ତି । ପାସପୋର୍ଟ ଛକରୁ ୟୁନିଟ-୮ ଡିଏଭି ସ୍କୁଲ ମଧ୍ୟରେ ପରିବା ବ୍ୟବସାୟୀ ଠାଏ ଠାଏ ହୋଇ ବସିଛନ୍ତି । ୟୁନିଟ ୮ କଲ୍ୟାଣ ମଣ୍ଡପ ସମ୍ମୁଖରେ ଗୋଟିଏ ପାର୍ଶ୍ବରେ ଭେଣ୍ଡିଂ ଜୋନ୍ ସାମ୍ନାରେ ଗାଡ଼ି ପାର୍କିଂ ହେଉଥିବାବେଳେ ଆଉ ଗୋଟିଏ ପାର୍ଶ୍ବରେ ବିରିୟାନି, ଆଳୁଦମ୍‌ ଓ ଦହିବରା ବ୍ୟବସାୟୀ ବେପାର କରୁଛନ୍ତି ।

ଏଜି ଛକରରୁ ରାଜମହଲ ଛକକୁ ଆସିଲେ ରାସ୍ତା କେଉଁଟା ଫୁଟପାଥ୍ କେଉଁଟା ଜଣାପଡ଼ୁନି । ୟୁନିଟ-୧ ପାର୍ଶ୍ବ ଫଳ ଦୋକାନୀ, ଭେଣ୍ଡିଂ ଜୋନ୍ ବ୍ୟବସାୟୀଙ୍କ ଗାଡ଼ି ପାର୍କିଂ, କପଡ଼ା ବ୍ୟବସାୟୀଙ୍କ କବ୍‌ଜାରେ ଥିବାବେଳେ ୟୁନିଟ-୨ ପାର୍ଶ୍ବଟି କପଡ଼ା ବ୍ୟବସାୟୀ ଓ ନର୍ସରି ଦୋକାନୀଙ୍କ ଦଖଲରେ ରହିଛି । ଏହି ରାସ୍ତା ଦେଇ ଦୈନିକ ବିଏମ୍‌ସି, ବିଡିଏ ଓ ସ୍ମାର୍ଟ ସିଟିର ଅଧିକାରୀମାନେ ଯାତାୟାତ କରୁଛନ୍ତି କିନ୍ତୁ ଉଚ୍ଛେଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଯେତେବେଳେ କି କର୍ତ୍ତୃପକ୍ଷ ରାଜଧାନୀକୁ ସଜାଇବା ପାଇଁ ରାସ୍ତା କଡ଼ରେ କାନ୍ଥ ବାଡ଼ରେ ବିଭିନ୍ନ ପ୍ରକାରର ସୁନ୍ଦର ଚିତ୍ର ଆଙ୍କୁଥିଲେ ହେଁ ଜବରଦଖଲକାରୀଙ୍କ ଆଢୁଆଳରେ ଏହା ଲୁଚିଯାଇଛି ।

ଫୁଟପାଥ୍‌ ଯେପରି ଦଖଲ ନହେବ ସେଥିପାଇଁ ପ୍ରାୟ ଦେଢ଼ ବର୍ଷ ତଳେ ବିଏମ୍‌ସି-ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଥିଲା । ଏହା ଯେପରି ପୁଣି ଜବରଦଖଲ ନହେବ ସେଥିପାଇଁ ନନ୍ଦନକାନନରୁ ବିମାନବନ୍ଦର ଛକ ଉପରେ ନଜର ରଖିବା ପାଇଁ ସ୍ପେସାଲ ଜଏଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥିବାବେଳେ ଶିଶୁ ଭବନରୁ ବାଣୀବିହାର ଛକ ପର‌୍ୟ୍ୟନ୍ତ ଫୁଟପାଥ୍‌ ଉପରେ ନଜର ରଖିବା ପାଇଁ ସ୍ମାର୍ଟ ସିଟି ସ୍କ୍ବାଡ୍‌ ଗଠନ ହୋଇଛି । କିନ୍ତୁ ଏହି ଦୁଇଟି ସ୍କ୍ବାଡର ସଦସ୍ୟମାନେ ଉଠାଦୋକାନୀଙ୍କ ଠାରୁ ଚାନ୍ଦା ନେଇ ପଙ୍ଗୁ ପାଲଟି ଯାଇଥିବା ଅଭିଯୋଗ ହେଉଛି । ଏହି ଦୁଇଟି ସ୍କ୍ବାଡ୍‌ ଅଫିସରୁ ଗାଡି ରିକ୍ୟୁଜିସନ୍‌ ଆଣି ଗୋଟିଏ ଛକରେ ବସି ଯାଉଛନ୍ତି ଆଉ କିଛି ଦିନ ବ୍ୟବଧାନରେ ରାଉଣ୍ତ ମାରି ଚାନ୍ଦା ଆଦାୟ କରୁଥିବାରୁ ଜବରଦଖଲ ଉଚ୍ଛେଦ ହୋଇପାରୁନି ବୋଲି ଅଭିଯୋଗ ହେଉଛି ।

ଫୁଟପାଥ୍‌ରୁ ଜବରଦଖଲ ହଟାଇବା ପାଇଁ ବିଏମ୍‌ସିର ଏନଫୋର୍ସ ଟିମ୍ ଅଣ୍ଟା ଭିଡ଼ିଛି । ଏଥିପାଇଁ ୮ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ ହୋଇଛି । ହେଲେ ଏହି ସ୍କ୍ବାଡ୍ କେବଳ ହକି ବିଶ୍ବକପ୍‌ ପୂର୍ବରୁ ଏବଂ ଏହି ପ୍ରତିଯୋଗିତା ସମୟରେ ଫୁଟପାଥ୍‌ଗୁଡ଼ିକୁ ଜବରଦଖଲମୁକ୍ତ କରିବା ନେଇ ଦାୟିତ୍ବ ଦିଆଯାଇଛି । କର୍ତ୍ତୃପକ୍ଷଙ୍କ ଏହିଭଳି ଅଧପନ୍ତରିଆ ଓ ବେପରୁଆ ନିଷ୍ପତ୍ତି ଯୋଗୁଁ ଆଗାମୀ ଦିନରେ ପୁଣି ଫୁଟପାଥ୍ ଜବରଦଖଲ ହେବା ଜଳଜଳ ଦିଶୁଛି । ‘ଫୁଟପାଥ୍ କେବଳ ପଥଚାରୀଙ୍କ ପାଇଁ’ ବୋଲି ବିଏମ୍‌ସି/ବିଡିଏ ପକ୍ଷରୁ ଯାହା କୁହାଯାଇଛି ତାହା କେବଳ ବାହାସ୍ଫୋଟ ବୋଲି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରୁ ବାରି ହୋଇଗଲାଣି । ବିଏମ୍‌ସିର ଡେପୁଟି କମିସନର୍‌ (ଏନଫୋସର୍ମେଣ୍ଟ) ଶୁଭ୍ରାଂଶୁ ମିଶ୍ର ଲୋକମାନଙ୍କୁ ଏବଂ ଉଠା ଦୋକାନୀମାନଙ୍କୁ ଆହ୍ବାନ ଦେଇଛନ୍ତି ଯେ, ରାଜଧାନୀର ପ୍ରମୁଖ ୮୦କିମି ରାସ୍ତାରେ ଥିବା ଫୁଟପାଥ୍‌କୁ ଜବରଦଖଲ ନକରନ୍ତୁ । ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ରାଜଧାନୀର ନାଗରିକମାନେ ଦାୟିତ୍ବବାନ ହେବାକୁ ସେ କହିଛନ୍ତି ।