ଗାଁର ଉନ୍ନତି ପାଇଁ ୩୭ ଲକ୍ଷ୍ୟ ପ୍ୟାକେଜର ଚାକିରି ଛାଡ଼ିଲେ ଛତିଶଗଡ଼ ଯୁବକ ! ୩୦୦କୃଷକଙ୍କୁ ନେଇ ଗଢ଼ିଲେ ନିଜର କମ୍ପାନି

221

ଗାଁର ସାମଗ୍ରିକ ବିକାଶରେ ଦେଶର ବିକାଶ ସମ୍ଭବ । ତେବେ ଗାଁର ତଥା ନିଜ ମାଟି ମା’ର ବିକାଶ ପ୍ରତି କେତେଜଣ ବା ସଚେତନ । ଆଜିକାଲି ମେଧାବି ଛାତ୍ରଛାତ୍ରୀ ପାଠ ପଢ଼ାପରେ ବଡ଼ ଚାକିରି ଆଶାରେ ବିଦେଶ ପଳାଇଯାଉଛନ୍ତି । ସେଠାରେ ଅଧିକ ପ୍ୟାକେଜରେ କାମ କରୁଛନ୍ତି । ହେଲେ ଏପରି ହେଲେ ସେମାନଙ୍କ ଘର ପରିବାରର ଆର୍ଥିକ ସ୍ଥିତି ସିନା ସୁଧୁରି ଯାଉଛି, ଗାଁର ଅବସ୍ଥାରେ କିଛି ପରିବର୍ତ୍ତନ ହେଉନି । ହେଲେ ସମସ୍ତ ସମାନ ନୁହଁନ୍ତି । କିଛି ଏପରି ଯୁବକ ଅଛନ୍ତି, ଯେଉଁମାନେ ଆଜି ବି ନିଜ ଗାଁ କଥା ଚିନ୍ତା କରୁଛନ୍ତି । ଆଉ ବିଦେଶର ଉଚ୍ଚପଦପଦବୀର ଚାକିଛି ଛାଡ଼ି ଗାଁର ବିକାଶ ଦିଗରେ କାମ କରୁଛନ୍ତି । ଏପରି ଜଣେ ଯୁବକ ହେଲେ ସମର୍ଥ ଜୈନ୍ ନୈନୋ ।

ଛତିଶଗଡ଼ର ସମର୍ଥ ଜୈନ୍ ନୈନୋ ବୈଜ୍ଞାନିକ ହେବା ପରେ ବେଲଜିୟମରେ ତାଙ୍କୁ ୩୭ଲକ୍ଷ ପ୍ୟାକେଜରେ ଚାକିରି ମିଳି ଯାଇଥିଲା । ଚାକିରି ପାଇବ ପରେ ସମର୍ଥ ଦେଖିଲେ ବୈଜ୍ଞାନିକମାନେ ଭିନ୍ନ ଉପାୟରେ ଚାଷ କରିବାକୁ ନେଇ ଗବେଷଣା କରୁଛନ୍ତି । ରାସାୟନିକ ସାରର ବ୍ୟବହାର ନକରି ସେଠାରେ ବୈଜ୍ଞାନିକମାନେ ଜୈବିକ ଚାଷ କରିବାକୁ ଚେଷ୍ଟା କରୁଥିଲେ । ଏହାଦେଖି ସମର୍ଥ ବେଲଜିୟମ୍ ଛାଡ଼ି ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଭାରତରେ ଚାଷୀ ଆତ୍ମହତ୍ୟାର ଖବର ସମର୍ଥଙ୍କୁ ବିଚଳିତ କରିପକାଉଥିଲା । ମନରେ ଚାଷୀଙ୍କ ପାଇଁ କିଛି କରିବେ ବୋଲି ମନସ୍ଥ କରିଥିଲେ ।

ବେଲଜିୟମରେ କୌଣସି ରାସୟନର ବ୍ୟବହାର ନ କରି ଚାଷ କରିବା ଦେଖି ସେ ଭାରତରେ ମଧ୍ୟ ଏଭଳି ଚାଷ କରିବାକୁ ନେଇ ଲୋକମାନଙ୍କୁ ଜଣାଇବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ଯେଉଥିପାଇଁ ସେ ଚାକରି ଛାଡ଼ି ତାଙ୍କ ଗାଁକୁ ପଳାଇଆସିଥିଲେ । ଛତିଶଗଡ଼ ଯଶପୁରରର ନିଜ ଗାଁ ଗହ୍ମାରିଆକୁ ଆସି ଜୈବିକ ଚାଷକୁ ନେଇ କାମ ଆରମ୍ଭ କରିଥିଲେ ସମର୍ଥ । ୨୦୧୩ରେ ସମର୍ଥ ବୈଦିକ ବାଟିକା ନାମରେ ନିଜର ଏକ କମ୍ପାନୀ ତିଆରି କରିଥିଲେ । ପରେ ସେ ଆଖପାଖର କୃଷକଙ୍କ ଜୈବିକ ଚାଷ କରିବା ପାଇଁ ଅନୁପ୍ରାଣିତ କରିବା ସହ ନିଜ ସହ ଯୋଡ଼ିଥିଲେ ।

ଏ ପର୍ଯ୍ୟନ୍ତ ତାଙ୍କର ସେହି ଅଭିଯାନରେ ୩୦୦ଜଣ କୃଷକ ଯୋଡ଼ି ହୋଇ ସାରିଛନ୍ତି । ପ୍ରଥମେ ଯେତେବେଳେ ସେ ଚାଷ କରିବା ଆରମ୍ଭ କରିଥିଲେ,ସେତେବେଳେ ମାର୍କେଟରେ ରସାୟନଯୁକ୍ତ ମଞ୍ଜି ଭରି ରହିଥିବା ଦେଖିଥିଲେ । ଏହାକୁ ରୋକିବା ପାଇଁ ସମର୍ଥ ନିଜ ଘରର ପ୍ରୟୋଗଶାଳାରେ ଜୈବିକ କୀଟନାଶକ ତିଆରି କରିବା ଆରମ୍ଭ କରିଥିଲେ । ଯାହାର ଭଲ ପରିଣାମ ଚାଷ ଜମିରେ ଦେଖିବାକୁ ମିଳିଥିଲା ।

୬ବର୍ଷ ମଧ୍ୟରେ ସମର୍ଥ ନିଜର ଜୈବିକ କମ୍ପାନୀକୁ ରେଜିଷ୍ଟର କରି ନେବା ସହ କମ୍ ଦାମ୍ରେ ଜୈବିକ ପ୍ରଡ଼କ୍ଟ ମାର୍କେଟରେ ବିକ୍ରି କରୁଥିବା ଜଣା ପଡ଼ିଛି । ଯାହାଦ୍ୱାରା ଚାଷ ଜମିର ମାଟିର ଗୁଣ ନଷ୍ଟ ହେବା ପରିବର୍ତ୍ତେ ଭଲ ଚାଷ ହୋଇ ପାରୁଛି । ସମର୍ଥଙ୍କ ଏଭଳି ଉଦ୍ୟମ ପାଇଁ ଆଜି ୩୫୦ରୁ ଅଧିକ ଚାଷୀ ଭଲ ଉତ୍ପାଦନ କରି ପାରିବା ସହ ସମର୍ଥଙ୍କ କମ୍ପାନୀରେ କାମ କରି ମାସିକ ଆୟ କରି ପାରୁଛନ୍ତି ।