କାନଭାସରେ ଚିତ୍ର କଳାର ନୈପୁଣ୍ୟତା  : ଦର୍ଶକଙ୍କୁ ଆକୃଷ୍ଟ କରୁଛି ‘ରାମକୃଷ୍ଣ’ଙ୍କ ଚିତ୍ରକଳା 

129

କନକ ବ୍ୟୁରୋ : କଥାରେ ଅଛି ଦୃଢ ମନବଳ ଆଗରେ ପଙ୍ଗୁ ବି ପର୍ବତ ଶୀଖରରେ ପହଁଚି ପାରେ । ସେହି ଆତ୍ମ ବିଶ୍ୱାସ ଓ ମନୋବଳ ଯୋଗୁଁ ନିପଟ ମଫସଲ ଗାଁର ଯୁବକ ଚିତ୍ରକର ଏବେ ଆଗକୁ ବଢିବାକୁ ସ୍ୱପ୍ନ ଦେଖୁଛନ୍ତି । ସେହି ଯୁବକ ଚିତ୍ରକର ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚାନ୍ଦକୁସୁମି ଗାଁର ଦିନ ମଜୁରିଆ ବରେନ୍ଦ୍ର ସିଂହଙ୍କ ପୁଅ ରାମକୃଷ୍ଣ ସିଂହ । ଯେ କୌଣସି ବ୍ୟକ୍ତିକୁ ଦେଖି ତାଙ୍କର ଅବିକଳ ଚିତ୍ର ଆଙ୍କି ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ରାମକୃଷ୍ଣ ।

ହାତରେ ତୂଳୀ, ଆଉ ଆଖିରେ ଚିତ୍ର । ଯାହାକୁ ବି ଦେଖିବେ, ତାଙ୍କର ଅବିକଳ ଚିତ୍ର ଆଙ୍କିପାରିବେ । ଏପରି ନିଆରା ପ୍ରତିଭାର ଅଧିକାରୀ ରାମକୃଷ୍ଣ ସିଂହ । ପିଲାଟି ଦିନରୁ ଚିତ୍ର ପ୍ରତି ରାମକୃଷ୍ଣଙ୍କର ଥିଲା ବିଶେଷ ଆଗ୍ରହ । ବାପା, ମାଆ ସାଙ୍ଗସାଥିଙ୍କ ପ୍ରେରଣା ପାଇ ଆଗକୁ ବଢିଚାଲିଲେ ରାମକୃଷ୍ଣ । ମହାଗବ ଗୟାପ୍ରସାଦ ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ ପାସ୍ କରିବା ପରେ କମର୍ଦା ମହାବିଦ୍ୟାଳୟରେ +୨ କଳାର ପ୍ରଥମ ବର୍ଷ ଛାତ୍ର ରାମକୃଷ୍ଣ । ପାଠ ପଢିବା ସହ ନିଜ ଚିତ୍ରକଳାରେ ସମସ୍ତଙ୍କୁ ବିମୋହିତ କରୁଛନ୍ତି ।

କେବଳ ରଙ୍ଗ, ତୂଳୀରେ ସୀମିତ ନାହିଁ ରାମକୃଷ୍ଣଙ୍କ ଚିତ୍ର କଳା । ବାଲିରେ ବି ଅତି ଚମକ୍ରାର କଳା ଓ ପ୍ରତିମୂର୍ତୀ ବନାଇ ଜଣେ ବାଲୁକାଶିଳ୍ପୀର ପରିଚୟ ବନାଇପାରିଛନ୍ତି ସେ । ତାଳସାରି ବେଳାଭୂମି ମହୋତ୍ସବ, ଭୋଗରାଇ ମହୋତ୍ସବ, ତୂଳସୀ ଚଉଁରା ମହୋତ୍ସବରେ ବାଲୁକା କଳା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ରାମକୃଷ୍ଣ । କେବଳ ସେତିକି ନୁହେଁ ନିଜ ଚିତ୍ରକଳା ପାଇଁ ମଧ୍ୟ ଅନେକ ସମ୍ମାନ ହାତେଇଛନ୍ତି । ତେବେ ଗିରବ ପରିବାରରେ ଜନ୍ମ ହୋଇଥିବା ରାମକୃଷ୍ଣଙ୍କୁ ଭଲ ଆର୍ଟସ୍କୁଲରେ ପଢାଇବା ପାଇଁ ଏବେ ଅର୍ଥ ସାଜିଝି ବାଧକ ।

ଏତେ କମ ବୟସରେ ବି ନିଜ ପ୍ରତିଭା ପାଇଁ ସ୍ଥାନୀୟ ଅଂଚଳରେ ପରିଚୟ ବନାଇପାରିଛନ୍ତି । ଆଉ ଯଦି ସହୟତା ମିଳନ୍ତା ଆଗକୁ ଜଣେ ସଫଳ ଚିତ୍ରକର ହୋଇ ପାରନ୍ତି ବୋଲି ଆଶା ରଖିଛନ୍ତି ରାମକୃଷ୍ଣ ।