କମୁଛି ତାଳଗଛ, ବଢ଼ୁଛି ବଜ୍ରପାତ : ଜାଣନ୍ତୁ କାହିଁକି ହୋଇପାରୁନି ବଜ୍ରପାତର ପ୍ରତିରୋଧ

192

କନକ ବ୍ୟୁରୋ: ଲୋପ ପାଉଛି ତାଳଗଛ । ସହର ତ ଦୂରର କଥା ଗାଁ ଗହଳିରେ ଆଉ ଦିଶୁନି ଏହି ଗଛ । ଫଳରେ ବଜ୍ରପାତ ସମୟରେ ପ୍ରତିରୋଧ ହେବା ସମ୍ଭବ ହେଉନାହିଁ । ଓଡିଶାରେ ଗତ କିଛିଦିନ ମଧ୍ୟରେ ବାରମ୍ବାର ବଜ୍ରପାତ ହେବା ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ ।

ଆଗେ ଗାଁ ଗହଳିରେ ତାଳଗଛ ବହୁସଂଖ୍ୟାରେ ଦେଖିବାକୁ ମିଳୁଥିଲା । ଏପରିକି ଧାନବିଲର କଡରେ ଓ ଖୋଲା ସ୍ଥାନରେ ଅନେକ ତାଳଗଛ ଥିଲା । ଯାହାକୁ ତାଳଦଣ୍ଡା କୁହାଯାଉଥିଲା । ଏହାର ଫଳକୁ ଖରାଦିନେ ପଇଡ ଭଳି ବ୍ୟବହାର କରାଯାଏ । ସେମିତି ଶୁଖିଲା ତାଳ ଖୋଳପାକୁ ଜାଳେଣୀ ଓ ପତ୍ରକୁ ଭୋଗେଇ ବା ଡାଲା ଭାବେ ବ୍ୟବହାର କରାଯାଏ ।

ଗାଁର ସବୁଠୁ ଲମ୍ବା ଗଛ ଥିଲା ତାଳଗଛ । ବର୍ଷାଦିନେ ବିଜୁଳି ମାରିଲେ ଏହା ନିଜ ଆଡକୁ ଆକର୍ଷିତ କରେ ବୋଲି ବିଜ୍ଞାନ କୁହେ । ସେହିପରି ତାଳଗଛ ବିଦ୍ୟୁତ ସଞ୍ଚାଳନ କରିଥାଏ । କିନ୍ତୁ ଧିରେ ଧିରେ ତାଳଗଛ ତଥା ବିଭିନ୍ନ ଗଛଲୋପ ପାଉଥିବାରୁ ବଜ୍ରପାତର ପ୍ରତିରୋଧ ହୋଇପାରୁନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବିଜୁଳି ସିଧାସଳଖ ମାଟି ସଂସ୍ପର୍ଷରେ ଆସୁଛି । ଏହି ସମୟରେ ଘର ବାହାରେ ଥିବା ଲୋକ ଏହାର ଶୀକାର ହେଉଛନ୍ତି ।

ଗତ ପାଞ୍ଚ ମାସରେ ରାଜ୍ୟରେ ୨୮୦ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ଆଉ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ଯାଇଛି । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।
ଆଜି ସୁଦ୍ଧା ରେକର୍ଡ ହୋଇଥିବା ୨୮୦ ମୃତ୍ୟୁ ମଧ୍ୟରୁ ଗଞ୍ଜାମ ଓ ମୟୁରଭଞ୍ଜରେ ସର୍ବାଧିକ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୨୪, ଭଦ୍ରକରେ ୧୭, ଯାଜପୁର ଓ କେନ୍ଦ୍ରାପଡାରେ ୧୫ଜଣ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।