କନକ ବ୍ୟୁରୋ : ପଡୋଶୀ ଛତିଶଗଡ ମଡେଲକୁ ଆପଣାଇବ ରାଜ୍ୟ କଂଗ୍ରେସ । ଛତିଶଗଡରେ କଂଗ୍ରେସର ଅପ୍ରତ୍ୟାଶିତ ସଫଳତା ଦେଖିବା ପରେ ସେମାନଙ୍କ ମଡେଲକୁ ଓଡିଶାରେ ଲାଗୁ କରିବା ନେଇ ଚାଲିଛି ଜୋରଦାର କସରତ । ଛତିଶଗଡରୁ ନେତା ଆସିଛନ୍ତି ରାଜ୍ୟ କଂଗ୍ରେସ ନେତାଙ୍କୁ ଟ୍ରେନିଂ ଦେବା ପାଇଁ । ଛତିଶଗଡରୁ ଏକ ଟିମ୍ ଆସି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସଂଗ୍ରହ କରୁଛି ମତାମତ । ଆଉ ଏହି ମତାମତ ଆଧାରରେ ଇସ୍ତାହାର ପ୍ରସ୍ତୁତ କରିବ ଦଳ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ଛତିଶଗଡ଼ର ନେତାଙ୍କ ସହ ଜଗତସିଂହପୁର ଅଂଚଳରେ ବିଭିନ୍ନ ସଂଗଠନ ସହ ଆଲୋଚନା କରିଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ । ଏହି ପରି ୨୧ ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ମତାମତ ସଂଗ୍ରହ କରାଯିବା ପରେ ପ୍ରସ୍ତୁତ ହେବ କଂଗ୍ରେସର ଇସ୍ତାହାର । ସେଥିପାଇଁ ୨୧ ଜଣ ନେତାଙ୍କୁ ସଂଯୋଜକ ଭାବେ ଚୟନ କରିଛି ଇସ୍ତାହାର କମିଟି ।
ଛତିଶଗଡ଼ରେ ଏହି କୌଶଳ ଆପଣେଇଥିଲା କଂଗ୍ରେସ । ବିଭିନ୍ନ ବର୍ଗର ପ୍ରାୟ ଏକ ଲକ୍ଷ ଲୋକଙ୍କ ମତାମତ ପରେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା । ଏହାକୁ ଜନଘୋଷଣା ପତ୍ର କୁହାଯାଇଥିଲା । ଆଉ ଭୋଟରଙ୍କ ମନ ଜିଣି ନେଇଥିଲା ଏହି ଘୋଷଣାପତ୍ର । ଜଗତସିଂହପୁରରେ ପିସିସିର ଟିମ୍ ଯେଉଁ ଜନମତ ନେଇଥିଲା, କଂଗ୍ରେସ ଭବନରେ ତା’ର ଏକ ପ୍ରେଜେଂଟେସନ୍ ଦିଆଯାଇଥିଲା । ଚା’ ଖଟିରୁ ଆରମ୍ଭ କରି ଚାଷୀ, ଓକିଲ, ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ସହ ହୋଇଥିଲା ଆଲୋଚନା । ରାଜନୈତିକ ଦଳ ଠାରୁ ଲୋକେ କି ପ୍ରତିଶ୍ରୁତି ଚାହୁଁଛନ୍ତି ତା’ର ଅନୁଧ୍ୟାନ କରିଥିଲେ ନେତା । ତେବେ କଂଗ୍ରେସ ତା’ର ଇସ୍ତାହାରରେ ମହାନଦୀ ବିବାଦର ତୁରନ୍ତ ସମାଧାନ ଉପରେ ଜୋର ଦେବ ବୋଲି ଜଣାପଡ଼ିଛି । ସେହିପରି କୃଷିଋଣ ଛାଡ ପ୍ରତିଶ୍ରୁତି ଛତିଶଗଡରେ କଂଗ୍ରେସକୁ ସଫଳତାର ସ୍ୱାଦ ଚଖେଇ ଥିବାରୁ ଓଡିଶାରେ ବି ଇସ୍ତାହାରରେ ଚାଷ ଓ ଚାଷୀଙ୍କ ସମସ୍ୟା ଉପରେ ଫୋକସ୍ କରିବ ଦଳ ।