ଉପଯୁକ୍ତ ଭିତ୍ତିଭୂମିର ଅଭାବ, +୨ କଲେଜ୍ ଗୁଡ଼ିକରେ ଲାଗି ପାରୁନି ସିସିଟିଭି

101

କନକ ବ୍ୟୁରୋ : ଏଥର ଯୁକ୍ତ୨ ପରୀକ୍ଷା ଉପରେ ନଜର ରଖିବ ସିସିଟିଭି । ରାଜ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷା କେନ୍ଦ୍ରରେ ଡିସେମ୍ବର ଶେଷ ସୁଦ୍ଧା ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ୨୦୧୯ ଜାନୁଆରି ୨୮ରୁ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୭ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଥିଓରି ପରୀକ୍ଷା ଆରମ୍ଭ ହେବ । ତେଣୁ ଏହା ପୂର୍ବରୁ ସିସିଟିଭି ଲଗାଇବା କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିଲା ।

ଦେଢ଼ ମାସ ହେଲା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏବେ ସୁଦ୍ଧା ଗୋଟିଏ ବି କଲେଜ ସିସିଟିଭି ଲଗାଇପାରି ନାହାନ୍ତି । କେତେକ କଲେଜ କର୍ତୃପକ୍ଷ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବା ବେଳେ କେଉଁ ଆଧାରରେ ଆମେ ସିସିଟିଭି ଲଗାଇବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

source:google.co.in

ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ‌ସମେତ ରାଜ୍ୟର କେତେକ ପ୍ରମୁଖ କଲେଜ କର୍ତୃପକ୍ଷ କହିଛନ୍ତି ‌ଯେ ଏପର୍ଯ୍ୟନ୍ତ କଲେଜଗୁଡ଼ିକର ଭିତ୍ତିଭୂମି ଠିକ୍‌ ‌ହୋଇପାରିନି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଏବେ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ ଭିତ୍ତିଭୂମିରେ ଚାଲିଛି। ସେଠାରେ ଯଦି ସିସିଟିଭି ଲଗାଯିବ ତେବେ ତାହାର ସୁରକ୍ଷା ଦାୟିତ୍ବ କାହାର ? ରାତିରେ ଯଦି ସିସିଟିଭି ଚୋରି ହୁଏ ସେଥିପାଇଁ କିଏ ଦାୟୀ ରହିବେ ? ଏଥିସହ ଯୁକ୍ତ୨ ପରୀକ୍ଷା ସମୟରେ ଅନ୍ୟ କଲେଜ, ପାଠ୍ୟକ୍ରମଗୁଡ଼ିକର ପରୀକ୍ଷା ବି ଚାଲୁଥିବ । ତେଣୁ ସେମାନେ ଅନୁମତି ଦେବେ ତ ?

ପିଏଲ୍‌/କଲେଜ ଡେଭଲ୍‌ପମେଣ୍ଟ ଫଣ୍ଡ୍‌ରୁ ଅର୍ଥ ଖର୍ଚ୍ଚ କରି ସିସିଟିଭି ଲଗାଇବାକୁ କୁହାଯାଇଛି । ଆବାସିକ କଲେଜଗୁଡ଼ିକର ପିଲା ସରକାରୀ କଲେଜ ପରୀକ୍ଷା କେନ୍ଦ୍ରରେ ଟ୍ୟାଗ୍‌ ହେବାକୁ ଥିବାରୁ ସେମାନଙ୍କ ପାଇଁ କେତେ ରୁମ୍‌ ଆବଶ୍ୟକ ସେଠାରେ କିଭଳି ସିସିଟିଭି ଲାଗିବ ତାହା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ମାଟ୍ରିକ୍‌ ପରୀକ୍ଷା ସ୍କୁଲଗୁଡ଼ିକର ନିଜସ୍ବ ଭିତ୍ତିଭୂମିରେ ହେଉଥିବାରୁ ସେମାନେ ଲଗାଇପାରିବେ । ଆମେ କିଭଳି ଲଗାଇବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଏହାରି ଭିତରେ ପରିଷଦର ଦୂରଦୃଷ୍ଟି ଅଭାବ ଏବେ ପଦାକୁ ଆସିଛି । ପ୍ରତିବର୍ଷ ପରୀକ୍ଷା ପୂର୍ବରୁ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ହୋଇଥାଏ । କିନ୍ତୁ ଚଳିତବର୍ଷ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ । ପରୀକ୍ଷା କେନ୍ଦ୍ର ହେଉଥିବା ଅଧିକାଂଶ କଲେଜରେ ପିଲା ବସିବାକୁ ଜାଗା ନାହିଁ । ପାଚେରି ବି ନାହିଁ । ସେଠାରେ ଯଦି ସିସିଟିଭି ଲଗାଯିବ ତେବେ ତାହାର ସୁରକ୍ଷା ଦାୟିତ୍ବ କିଏ ନେବ ? ଯେଉଁଠି ପରୀକ୍ଷା କେନ୍ଦ୍ର ଲକ୍‌ରରୁ ପ୍ରଶ୍ନପତ୍ର ଚୋରି ହୋଇଯାଉଛି ସେଠାରେ ସିସିଟିଭି କିଭଳି ସୁରକ୍ଷିତ ହେବ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଉ ଦେଢ଼ ମାସ ସମୟ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଅର୍ଥ ଆସି ନଥିବା କେତେକ କଲେଜ କର୍ତୃପକ୍ଷ କହିଛନ୍ତି। ଅଧ୍ୟାପକ ସଂଘଗୁଡ଼ିକର କହିବା କଥା ହେଲା ପରିଷଦ ଅଧିକାରୀମାନେ ଏସି ରୁମ୍‌ରେ ବସି ନିୟମ କରିଦେଲେ ହେବନି ।

ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରଥମେ ଭିତ୍ତିଭୂମି ଠିକ୍‌ କରିବାର ଥିଲା । ରାଜ୍ୟରେ ପର୍ଯ୍ୟାପ୍ତ କଲେଜ ନଥିବାରୁ ଘରୋଇ ସଂସ୍ଥା‌ର ଭିତ୍ତିଭୂମିରେ ପରୀକ୍ଷା କରୁଛନ୍ତି । ପ୍ରଶ୍ନପତ୍ର ଲିକ୍‌ ହୋଇଯାଉଛି । ରେଗୁଲାର ପ୍ରଶ୍ନପତ୍ର ପ୍ୟାକେଟ୍‌ରୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ବାହାରୁଛି । ସେଥିରେ ଆଜି ପର୍ଯ୍ୟନ୍ତ ରୋକ ଲଗାଯାଇପାରିନି । ପ୍ରତିବର୍ଷ ବାରମ୍ବାର ସମସ୍ୟା ହେଉଛି । ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ସିସିଟିଭି ଲଗାଇ ଦେଲେ ଯେ କପି ହେବ ନାହିଁ ତାହା କହିବା ବୃଥା । ପ୍ରଥମେ ଭିତ୍ତିଭୂମି ଠିକ୍‌ ହେଉ । ତା’ପରେ ସିସିଟିଭି ଲଗାଇବେ ।

ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଡିସେମ୍ବର ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଛି । କେଉଁଠୁ ଅର୍ଥ ଆସିବ ସେନେଇ କଲେଜଗୁଡ଼ିକୁ ଜଣାଇ ଦିଆଯାଇଛି । ସେମାନେ ଟେଣ୍ଡର କରି ସିସିଟିଭି ଲଗାଇବେ । ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ ନାହିଁ । ଭିତ୍ତିଭୂମି ପରିବର୍ତନ ହେଲେ ସିସିଟିଭିକୁ ସ୍ଥାନାନ୍ତର କରାଯାଇପାରିବ । ସେଥିରେ ଅସୁବିଧା ହେବନି ।