ଆସିଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ! ସଂଶୋଧନ ପରେ ୫ ଲକ୍ଷ ଭୋଟର ବୃଦ୍ଧି

301

କନକ ବ୍ୟୁରୋ : ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଚୂଡ଼ାନ୍ତ ତାଲିକାରେ ୩ କୋଟି ୧୮ ଲକ୍ଷ ୭୮୬ ଭୋଟର ଅଛନ୍ତି । ଭୋଟର ତାଲିକାରେ ୫ ଲକ୍ଷ ୩୯ ହଜାର ୪୫୪କୁ ବୃଦ୍ଧି ହୋଇଛି । ୪ ଲକ୍ଷ ୧୧ ହଜାର ୫୦ ନୂଆ ଭୋଟର ତାଲିକାରେ ଅନ୍ତର୍ଭକ୍ତ ହୋଇଛନ୍ତି । ତାଲିକାରେ ୨ ଲକ୍ଷ ୯୭ ହଜାର ୩୨୩ଟି ଭୋଟର ସନ୍ଦେହଜନକ ଥିଲା । ୧ ଲକ୍ଷ ୮୦ ହଜାର ଭୋଟର ତାଲିକାରୁ ବାଦ ପଡିଛନ୍ତି । ରାଜ୍ୟର ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳାନାରେ ୯୩୪ ଜଣ ମହିଳା ଭୋଟର ଥିଲେ । ମାତ୍ର ଚୁଡ଼ାନ୍ତ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟର ତୁଳନାରେ ୯୪୬ ଜଣ ଅଛନ୍ତି ମହିଳା ଭୋଟର୍ ।

ଭୋଟରଙ୍କ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ଅଭିଯୋଗ ଥିଲେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ବାଚନ କମିସନ କହିଛନ୍ତି । ଏହା ସହ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୋଟର ସହାୟତା କେନ୍ଦ୍ର ହେବ ।  ଏଥର ୩୬,୬୦୬ ବୁଥରେ ଭୋଟ୍ ଦେବେ ଭୋଟର। ଚୁଡାନ୍ତ ଭୋଟର ତାଲିକା ନେଇ ନିର୍ବାଚନ କମିସନଙ୍କ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଚଳିତ ଥର ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସମୟରେ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଭିଭିପାଟ ମେସିନ ବ୍ୟବହାର ହେବ । ଇଭିଏମ ଓ ଭିଭିପାଟ ସଂପର୍କରେ ବ୍ୟାପକ ପ୍ରଚାର କରାଯିବ । ସବୁ ରାଜ୍ୟ ଓ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଭୋଟରଙ୍କୁ ଭିଭିପାଟ ନେଇ ଅବଗତ ହେବାକୁ ଅନୁରୋଧ କରାଯାଇଛି ।

ଆମ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଇସିଆଇଏଲ୍, ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ଇଭିଏମ ବା ଭିଭିପାଟ୍ ମାଧ୍ୟମରେ ନିର୍ବାଚନ ପରିଚାଳନା କରିଯିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ବୁଥରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ । ଯଦିଓ ବିଜେପୁର ଉପ ନିର୍ବାଚନରେ ଭିଭିପାଟ୍ ବ୍ୟବହାର କରାଯାଇଛି, ତଥାପି ସମଗ୍ର ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଇଭିଏମର ସ୍ୱଚ୍ଛତା ରକ୍ଷା ନିମନ୍ତେ ନିର୍ବାଚନ ଆୟୋଗ ଭିଭିପାଟର ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।