ଭାରତର ଆତଙ୍କବାଦ ବିରୋଧୀ ଲଢେଇରେ ମିଳିଲା ଫ୍ରାନ୍ସର ସାଥ୍ । ମୈକ୍ରୋ କହିଲେ, କାଶ୍ମୀର ଏକ ଦ୍ୱିପାକ୍ଷିକ ମାମଲା,ଦରକାର ନାହିଁ ତୃତୀୟ ପକ୍ଷର ମଧ୍ୟସ୍ଥତା

272

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ଭାରତକୁ ମିଳିଲା ଫ୍ରାନ୍ସର ସମର୍ଥନ । ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ କହିଲେ କାଶ୍ମୀର ଏକ ଦ୍ୱିପାକ୍ଷିକ ମାମଲା, ତୃତୀୟ ପକ୍ଷର ମଧ୍ୟସ୍ଥତାର କୌଣସି ଆବଶ୍ୟକତା ନାହିଁ । ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ଉଚିତ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି । ଭାରତର ଆତଙ୍କବାଦ ବିରୋଧୀ ଲଢେଇକୁ ଫ୍ରାନ୍ସ ସମର୍ଥନ ଦେଇଥିବା ବେଳେ ପୁଲୱାମା ଆକ୍ରମଣ ଘଟଣା ନେଇ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ଭାରତକୁ ଦିଆ ଯିବାକୁ ଥିବା ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମ ବିମାନ ଆସନ୍ତା ମାସରେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଇମାନୁଏଲ ।

ଜି-୭ ସମ୍ମିଳନୀରେ ଯୋଗଦେବାକୁ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ମିଳିତ ପ୍ରେସମିଟରେ ଏହା କହିଛନ୍ତି ଦୁଇ ରାଷ୍ଟ୍ର ନେତା । ଦୁଇ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ ସହ ଅନ୍ୟ ବହୁ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହା ସହ ମେକ୍ ଇନ୍ ଇଣ୍ଡିଆରେ ଫ୍ରାନ୍ସ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଫ୍ରାନ୍ସ ଓ ଭାରତର ସଂପର୍କର ବର୍ତମାନର ନୁହେଁ । ଏହା ଶହ ଶହ ବର୍ଷ ପୁରୁଣା ସଂପର୍କ । ଏହା ସହ ଦୁଇ ଦେଶର ବନ୍ଧୁତା କୌଣସି ସ୍ୱାର୍ଥ ପାଇଁ ନୁହେଁ । ସୀମାପାର ଆତଙ୍କବାଦକୁ ସାମ୍ନା କରିବାରେ ଫ୍ରାନ୍ସଠୁ ଭାରତ ବହୁ ସହଯୋଗ ପାଇଛି ଏବଂ ଏଥି ପାଇଁ ମୋଦି ରାଷ୍ଟ୍ରପତି ମୈକ୍ରୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହ ମୋଦି କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ବୈଷୟିକ ସାମଗ୍ରିକ ବିକାଶ ପାଇଁ ସୃଷ୍ଟି ହେଉଥିବା ଚ୍ୟାଲେଂଜକୁ ମିଳିତ ଭାବେ ସାମ୍ନା କରିବାକୁ ଫ୍ରାନ୍ସ ଓ ଭାରତ ଏକାଠି ଠିଆ ହୋଇଛନ୍ତି । ଏନେଇ ଦୁଇ ଦେଶ ଦୃଢ ପଦକ୍ଷେପ ନେବେ ବୋଲି ସେ ମତ ରଖିଛନ୍ତି । ଏହି ସମୟରେ ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ୍ ଡଲାରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମୋଦି ସୂଚନା ଦେଇଛନ୍ତି ।