ଆଜି ଦିଆଯିବ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ! ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟ ଅତିଥି, ଦ୍ୱିତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ସମ୍ବାଦ
କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଆଜି ସଫଳ ଉଦ୍ୟୋଗପତିଙ୍କୁ ସମ୍ମାନିତ କରାଯିବ । ବ୍ରାଣ୍ଡ ଅଫ ଓଡିଶା, ପ୍ରାଇଡ୍ ଅଫ ଇଣ୍ଡିଆ – ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ -୨୦୧୯ ପୁରସ୍କାର ପ୍ରଦାନ କରାଯିବ । ଭୁବନେଶ୍ବରର ହୋଟେଲ ମେ’ ଫେୟାର କନ୍ଭେନ୍ସନ୍ ହଲ୍ରେ ଏହି ଉତ୍ସବ ଅପରାହ୍ନ ୫ଟା ୩୦ରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ଚଳିତ ବର୍ଷ ହେଉଛି ଏହି ପୁରସ୍କାରର ଦ୍ୱିତୀୟ ସଂସ୍କରଣ । ଏହି ବର୍ଷ ୫ଟି ବିଭାଗରେ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ । ପ୍ରଥମ ଥର ପାଇଁ ସିଏସଆର ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ବିଶେଷ ସୂଚନା ଗତ ନଭେମ୍ବରରେ ଦିଆଯାଇଥିଲା ଏବଂ ସ୍ବତନ୍ତ୍ର ଲୋଗୋକୁ ଉନ୍ମୋଚନ କରାଯାଇଥିଲା । ଏହାପରେ କମ୍ପାନିଗୁଡ଼ିକ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା । ଚଳିତବର୍ଷ ଜାନୁଆରି ୪ରେ ଆବେଦନ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା । ଏହାପରେ ବିଚାରକ ମଣ୍ଡଳୀଙ୍କ ଏକ ବୈଠକରେ ବିଜେତାମାନଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ । ଚଳିତବର୍ଷ ପ୍ରଥମଥର ପାଇଁ ଏହି ପୁରସ୍କାରରେ ସିଏସ୍ଆର୍ ବର୍ଗକୁ ସାମିଲ କରାଯାଇଛି । ଏହି ପୁରସ୍କାର ପାଇବା ପାଇଁ ଉଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗତ ସଂସ୍କରଣ ତୁଳନାରେ ଏଥର ଦୁଇ ଗୁଣରୁ ଅଧିକ ଆବେଦନ ମିଳିଥିଲା ।