ଅଭିଜିତ୍ ଆୟରଙ୍କୁ ନିଆଗଲା ସହିଦନଗର ଥାନା ! ପଚାରାଉଚରା କରିବେ ତଦନ୍ତକାରୀ ଅଧିକାରୀ

57

କନକ ବ୍ୟୁରୋ : ଅଭିଜିତ୍ ଆୟରଙ୍କୁ  ସହିଦନଗର ଥାନାକୁ ନିଆଯାଇଛି । ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ସେଠାରେ ପଚରାଉଚରା କରିବେ । ଗିରଫ ହୋଇପାରନ୍ତି ଅଭିଜିତ୍ ଆୟାର । ବିଧାନସଭା ଗୃହ କମିଟି ଆଗରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ହାଜର ହେବା ପରେ ତାଙ୍କୁ ଥାନାକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଗୃହ କମିଟିରେ କ୍ଷମା ମାଗିଥିଲେ ଅଭିଜିତ୍ ଆୟାର ମିତ୍ର । ମିଳିଥିବା ଖବର ଅନୁସାରେ ସେ କହିଛନ୍ତି ଏଭଳି କହିବା ତାଙ୍କର ନିର୍ବୋଧତା ଥିଲା । ବିଧାୟକଙ୍କ ବିରୋଧରେ କହିଥିବାରୁ କ୍ଷମା ମାଗୁଛି । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଅଭିଜିତଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗଡେଇତୁଡେଇ ପ୍ରଶ୍ନ ପଚାରି ଥିଲେ । କୋଣାର୍କ ମନ୍ଦିରକୁ ନେଇ ଅଶାଳିନ ମନ୍ତବ୍ୟ ପ୍ରସଙ୍ଗ ଓ ହେଲିକପ୍ଟରରେ ଉଡାଣ ପ୍ରସଙ୍ଗରେ ମଧ୍ୟ ଅଭିଜିତଙ୍କୁ ପ୍ରଶ୍ନ କରିଥିଲେ ନରସିଂହ । ଅନ୍ୟ ସଦସ୍ୟମାନେ ମଧ୍ୟ ଅଭିଜିତଙ୍କୁ ପ୍ରଶ୍ନ କରିଥିଲେ ।

ଅଭିଜିତ ବିଧାୟକଂକ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଭିଜିତଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ତାପରେ ସର୍ବଦଳୀୟ ବୈଠକର ନିଷ୍ପତି କ୍ରମେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ବିଧାନସଭା ଗୃହ କମିଟି । ଅକ୍ଟେବାର ୧୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଂକୁ ନିର୍ଦ୍ଦେଶ ଦେଇଥିଲା କମିଟି । ତେବେ ତିତଲି ବାତ୍ୟା କାରଣ ଦର୍ଶାଇ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ । ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆଜିକୁ ଡେଡଲାଇନ୍ ଦେଇଥିଲା କମିଟି ।