ଅପଡେଟ୍ ହେଉନି ସଂସ୍କୃତି ବିଭାଗ ୱେବସାଇଟ୍ । ହୋମପେଜରେ ରହୁଛି ପୁରୁଣା ତଥ୍ୟ । କନକ ନ୍ୟୁଜ ୱେବ ଏକ୍ସକ୍ଲ୍ୟୁସିଭ

40

କନକ ବ୍ୟୁରୋ: ଅପଡେଟ ହେଉନି ରାଜ୍ୟ ସଂସ୍କୃତି ବିଭାଗର ୱେବସାଇଟ । ନୂଆ ତଥ୍ୟ ଦେବା ବଦଳରେ ପ୍ରଦାନ କରୁଛି ପୁରୁଣା ତଥ୍ୟ । ବିଭାଗୀୟ କୌଣସି ସୂଚନା ପାଇଁ ୱେବସାଇଟକୁ ଲଗଇନ କରୁଥିବା ଲୋକଙ୍କୁ ଯାହା ବିଭ୍ରାନ୍ତ କରୁଛି ।

ସଂସ୍କୃତିର ରାଜ୍ୟ ଓଡିଶା । ଯାହାର କଳା, ସାହିତ୍ୟ, ସଂସ୍କୃତି ବେଶ ସମୃଦ୍ଧ ଓ ଋଦ୍ଧିମନ୍ତ । ରଥଯାତ୍ରା ଠାରୁ ବାଲିଯାତ୍ରା ପ୍ରସିଦ୍ଧି ଲାଭ କରିଛି ଦେଶବିଦେଶରେ । ବୈଶାଖରୁ ବସନ୍ତ ସବୁ ମାସ, ସବୁ ଋତୁରେ ଏଠି ପାଳନ କରାଯାଏ ଉତ୍ସବ ଆଉ ମହୋତ୍ସବ । କୋଣାର୍କ ଠାରୁ ଧଉଳି ସବୁଠି ଲୋକଙ୍କ ଭିଡ ଲାଗେ ରାତି ପାହିଲେ । କଳାର ଠାକୁର କାଳିଆକୁ ଦେଖିବାକୁ ପୁରୀକୁ ଛୁଟି ଆସନ୍ତି କାହିଁ କେତେ ଦୂରରୁ ପର୍ଯ୍ୟଟକ । ଯାହା ଓଡିଶାର କଳା ସଂସ୍କୃତିର ପରିଚୟ ପ୍ରଦାନ କରେ ।

ଓଡିଶାର କଳା ସଂସ୍କୃତିକୁ ସୁଦୂରପ୍ରସାରୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ବିଭାଗ ବଣ୍ଟନ କରାଯାଇ ଉନ୍ନତିମୂଳକ ପଦକ୍ଷେପ ନେବାକୁ ଦାୟିତ୍ୱ ଦିଆଯାଇଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । କଳାକାରଙ୍କୁ ସ୍ୱୟଂସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର କଳାକାର ଭତ୍ତା ପ୍ରଦାନ କରୁଛନ୍ତି । ମନ୍ତ୍ରୀ, ସଚିବଙ୍କୁ ବିଭାଗର ସମସ୍ତ ଦାୟିତ୍ୱ ଦିଆଯାଇଛି । କଳାର ଉନ୍ନତି ପାଇଁ ରାଜ୍ୟ ରାଜକୋଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି । କିନ୍ତୁ ବିଭାଗୀୟ ଦାୟିତ୍ୱହୀନତା ପାଇଁ ଓଡିଶା ସଂସ୍କୃତି ବିଭାଗ ପାଖରୁ ସୂଚନା ପାଇପାରୁ ନାହାଁନ୍ତିି ସାଧାରଣ ଲୋକେ ।

culture dept website not updatedମୋଟାମୋଟି ଭାବେ ଅପଡେଟ ହେଉନି ରାଜ୍ୟ ସଂସ୍କୃତି ବିଭାଗର ୱେବସାଇଟ । ଶେଷଥର ପାଇଁ ୨୦୧୫ ମସିହାରେ ଏହା ଅପଡେଟ ହୋଇଥିବା ବେଳେ କୌଣସି ସୂଚନା ପାଇଁ ଲଗଇନ କରୁଥିବା ଲୋକଙ୍କୁ ବିଭ୍ରାନ୍ତ କରୁଛି ପୁରୁଣା ତଥ୍ୟ । କେବଳ ହୋମପେଜ୍ରେ କିଛି ତଥ୍ୟକୁ ଛାଡିଦେଲେ ବାକି ସବୁ ତଥ୍ୟ ପୁରୁଣା । ଆକ୍ଟିଭିଟି ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ମଧ୍ୟ ୨୦୧୨-୧୩ ମସିହା ପର୍ଯ୍ୟନ୍ତ ଅପଲୋଡ ହୋଇଛି । ୨୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୩ ଓ ରାଜ୍ୟ ଟେଲି ପୁରସ୍କାର-୨୦୧୪ର ଲିଷ୍ଟ ସ୍ଥାନ ପାଇଛି ପୋର୍ଟାଲ । କିନ୍ତୁ ୟା ଭିତରେ ୨୬ତମ ଓ ୨୭ତମ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସରିଛି । ସେହିପରି ବିପର୍ଯ୍ୟୟ ପରିଚାଳନା ପ୍ଲାନ ୨୦୧୪-୧୫ ସ୍ଥାନ ପାଇଛି ହୋମପେଜରେ । ଅବଶ୍ୟ ପୋର୍ଟାଲରେ ଫଟୋ ଗ୍ୟାଲେରୀକୁ ନିୟମିତ ଭାବେ ଅପଡେଟ କରାଯାଇଛି । କିନ୍ତୁ ୨୦୧୫ ମସିହାରୁ ଅପଡେଟ ହୋଇନଥିବା ଏହି ୱେବପୋର୍ଟାଲ କିଭଳି ଲୋକଙ୍କୁ ସୂଚନା ପ୍ରଦାନ କରୁଛି ତାହା ଜଳ ଜଳ ହୋଇ ଦିଶୁଛି ।

ବରିଷ୍ଠ ସୀନେ ସମୀକ୍ଷକ ସୂର୍ଯ୍ୟ ଦେଓ ଏହି ଘଟଣାକୁ ଦୂର୍ଭାଗ୍ୟଜନକ କହିବା ସହ ତୁରନ୍ତ ଘଟଣାପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ୱେବସାଇଟ ଉପରେ ଅନେକ ପ୍ରବାସୀ ଓଡିଆ ନିର୍ଭର କରନ୍ତି । ରାଜ୍ୟର କଳା, ସଂସ୍କୃତିକୁ ଆଗକୁ ନେବାକୁ ତିଆରି କରାଯାଇଥିବା ବିଭାଗକୁ ଅନୁସରଣ କରି ଅନେକ ଲୋକ ଓଡିଶା ପ୍ରତି ଆକର୍ଷିତ ହୁଅନ୍ତିି । ତେଣୁ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ସେହିପରି ଏ ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ସିନେ ଅଭିନେତା କୁନା ତ୍ରିପାଠୀ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମୟରେ ବିଭାଗ ପଛରେ ପଡିଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । କିଏ ଓ କାହିଁକି ଏହି ୱେବସାଇଟକୁ ଅପଡେଟ କରୁନାହାଁନ୍ତି ତାହାକୁ ନଜର ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି । ତେବେ ବିଭାଗ କେବେ ଏହାକୁ ଦେଖୁଛି ଓ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କର ନଜର ।ସେପଟେ ଏନେଇ ସଂସ୍କୃତି ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।