ଅଜବ ବ୍ୟକ୍ତିତ୍ୱ ଅଜବ ନିଶା ! ମୁଦ୍ରା ଓ ନୋଟ ସଂଗ୍ରହ ଦେଇଛି ନୂଆ ପରିଚୟ । ପୁରାତନ ବସ୍ତୁକୁ ସଂଗ୍ରହ କରି ରଖିବା ଯୁବକଙ୍କ ନିଶା ।

421

କନକ ବ୍ୟୁରୋ: ଅଜବ ବ୍ୟକ୍ତିତ୍ୱ ଅଜବ ନିଶା । ସଉକ ଆଗରେ ସବୁକିଛି ସମ୍ଭବ । ପେଷାରେ ବନବିଭାଗର ଠିକା କର୍ମଚାରି କିନ୍ତୁ ସମାଜରୁ ଉହ୍ୟ ହୋଇଯାଉଥିବା ବହୁ ପୁରାତନ ବସ୍ତୁକୁ ସଂଗ୍ରହ କରିବାର ନିଶା । କାହିଁ କେଉଁ ଶହଶହ ବର୍ଷ ତଳର ପୁଣି ପୃଥିବୀର କୋଣ ଅନୁକୋଣରରେ ପ୍ରଚଳିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ତାଙ୍କ ସଉକ ରଖନ୍ତି ଗଜପତିର ରାଜୀଲ ପାଢୀ ।

ଗଜପତି ଜିଲ୍ଲାର କଏନ ମ୍ୟାନ ବା ମୁଦ୍ରା ମଣିଷ । କାରଣ ତାଙ୍କ ପାଖରେ ରହିଛି ଭିନ୍ନ ଭିନ୍ନ ଦେଶର ମୁଦ୍ରା ଆଉ ନୋଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସାନବ୍ରାହ୍ମଣ ସାହିର ରାଜୀବ କୁମାର ପାଢୀ । ଜଣେ ବନ ବିଭାଗର ଠିକା କର୍ମଚାରୀ ଭାବେ କାମ କରନ୍ତି ସତ, ହେଲେ ମୁଦ୍ରା ସଂଗ୍ରହ କରିବା ସଉକ ଏବେ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ଭିନ୍ନ ଭିନ୍ନ ଦେଶର ମୁଦ୍ରା ଓ ନୋଟ୍ ସଂଗ୍ରହ କରି ସ୍ଥାନୀୟ ଅଂଚଳରେ କଏନ୍ ମ୍ୟାନ୍ ଭାବେ ପରିଚୟ ବନାଇ ପାରିଛନ୍ତି ରାଜୀବ । ଏଥିପାଇଁ ଅନେକ ପ୍ରଶଂସା ସାଉଁଟିବା ସହ ବିଭିନ୍ନ ମଂଚରେ ସମ୍ମାନୀତ ମଧ୍ୟ ହୋଇଛନ୍ତି ।

କୌଣସି ଦେଶର ମୁଦ୍ରା ହେଉ କି ନୋଟ୍ ସେହି ଦେଶର ସଂସ୍କୃତିର ପରିଚୟ ହୋଇଥାଏ । କାରଣ ମୁଦ୍ରା ଓ ନୋଟ୍ରେ ରହିଥାଏ ସେହି ଦେଶର ଭାଷା, ମହାନ ବ୍ୟକ୍ତିତ୍ୱଙ୍କ ଛବି, ଆଉ ଦେଶର ସଂସ୍କୃତି ସହ ଜଡିତ କିଛି ଚିତ୍ର । ଆଉ ଏହି ସବୁ ମୁଦ୍ରା ସଂଗ୍ରହ କରି ସେହି ଦେଶର ସଂସ୍କୃତି ସହ ଜଡିତ ହୁଅନ୍ତି ବୋଲି କୁହନ୍ତି ରାଜୀବ । ପ୍ରାୟ ୮୦ ଦେଶର ୪୫୦ରୁ ଅଧିକ ପ୍ରକାରର ପ୍ରଚଳିତ ମୁଦ୍ରା ଏବଂ ୧୫୦ରୁ ଅଧିକ ପ୍ରକାରର ନୋଟ ସଂଗ୍ରହ କରିପାରିଛନ୍ତି ରାଜୀବ । ଦୀର୍ଘ ୩୦ ବର୍ଷ ଧରି ଏହି ମୁଦ୍ରା ସଂଗ୍ରହ କରି ଆସୁଛନ୍ତି । ଆଉ ଏଥିପାଇଁ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି । ମଣିଷ ନିଜ ଅଧବସାୟ ଓ ସାଧନା ବଳରେ ସବୁ ଅସମ୍ଭବକୁ ସମ୍ଭବପର କରି ଦେଖାଏ । ଆଗକୁ ଏହି ମୁଦ୍ରା ସଂଗ୍ରହର ନିଜ ନିଶା ଜାରି ରଖି ବିଶ୍ୱର ସବୁ ଦେଶର ଭିନ୍ନ ଭିନ୍ନ ମୁଦ୍ରା ସଂଗ୍ରହ କରି ଏକ ମୁଦ୍ରା ସଂଗ୍ରାହଳୟ କରିବେ ବୋଲି ଆଶା ରଖିଛନ୍ତି ରାଜୀବ ।