ସଂଗ୍ରାମୀଙ୍କ ସଂଘର୍ଷ । ପୂଜ୍ୟପୂଜାକୁ ସମ୍ମାନ ଦେବାକୁ କୁଣ୍ଠା କାହିଁକି ? ସହର ବଡ ହେଲେ ହୃଦୟ ଛୋଟ

6

କନକ ବ୍ୟୁରୋ:ବେକରେ ଶୁଖିଲା ଫୁଲମାଳ । ଦେହସାରା ପକ୍ଷୀମଳ । ଖରା,ବର୍ଷା,ଶୀତ, କାକର କୋଉଥିରୁ ବି ମୁକ୍ତି ନାହିଁ । ମୁଣ୍ଡ ଉପରେ ଛାତଟିଏ ବି ନାହିଁ । ରାଜଧାନୀ ଭୁବନେଶ୍ୱରରେ ଏମିତି ପଡିଛନ୍ତି ମହାପୁରୁଷ । ଯେଉଁମାନେ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ବି ଉତ୍ସର୍ଗ କରିଦେଲେ ସେମାନଙ୍କ ପ୍ରତି ଏ ହେଉଛି ସମ୍ମାନ ।

ରାଜଧାନୀ ଭୁବନେଶ୍ୱର । ମନ୍ଦିରମାଳିନୀ । ଏକାମ୍ରକ୍ଷେତ୍ର । ସବୁ ବଡବଡିଆ ନେତା ମନ୍ତ୍ରୀଙ୍କ ସହର ଏହି ଭୁବନେଶ୍ୱର । ୧୯୪୮ରେ ଏ ସହରର ମୂଳଦୁଆ ପଡିଥିଲା ଆଉ ଏହାର ଠିକ ବର୍ଷକ ପରେ ଅର୍ଥାତ ୧୯୪୯ରେ କଟକରୁ ରାଜଧାନୀ ଉଠି ଆସିଥିଲା ଭୁବନେଶ୍ୱରକୁ । ୭୦ବର୍ଷର ଏ ସହର ୟା ଭିତରେ ଅନେକ ଆଗକୁ ଯାଇ ସାରିଛି । ଘନଜଙ୍ଗଲର ସ୍ଥାନ ନେଇଛି ସୁଉଚ୍ଚ ଅଟ୍ଟାଳିକା ଆଉ ବିରାଟ ବିରାଟ ସପିଂ ମଲ । ରେଳ ଷ୍ଟେସନ, ବିମାନବନ୍ଦର ପାଇଁ ଦେଶବିଦେଶ ସହ ଯୋଡି ହୋଇଛି ରାଜଧାନୀ । ହେଲେ ପ୍ରତିଦିନର ଧାଁ ଧପଡ ଭିତରେ ସମସ୍ତେ ଭୁଲି ଯାଇଛନ୍ତି ସେହିମାନଙ୍କୁ ଯାହାଙ୍କ ଅବଦାନ ରାଜ୍ୟ ଓ ଦେଶ ପାଇଁ ମହତ୍ୱପୂର୍ଣ୍ଣ ଥିଲା । ଯିଏ ନିଜ ଜୀବନକୁ ପାଣି ଛଡାଇ ବିଦେଶୀଙ୍କ କବଳରୁ ମୁକୁଳାଇବାକୁ ଚେଷ୍ଟା କରିଥିଲେ ରାଜ୍ୟକୁ ଆଉ ଗଡଜାତକୁ ।

ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଚାଖୀ ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁଭାଷ ବୋଷଙ୍କ ଭଳି ଅନେକ ବୀରପୁରୁଷ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ଗଡଜାତର ଗଡ ରକ୍ଷା କରିବାକୁ ଯାଇ କେତେ କାହାର ମୁଣ୍ଡ ଗଡିଛି । ରକ୍ତରେ ଲାଲ ହୋଇଛି ଉକ୍ରଳର ମାଟି । ମା’ ମାଟି ପାଇଁ ଜୀବନକୁ ପାଣି ଛଡାଇଛନ୍ତି ଏହି ବୀରପୁତ୍ରମାନେ । ହେଲେ ଆଜି ଏମାନଙ୍କର ମୂଲ୍ୟ ବୁଝିବାକୁ ଯେମିତି କାହାପାଖରେ ସମୟ ନାହିଁ ।

୧୯୪୯ରେ ଭୁବନେଶ୍ୱରକୁ ରାଜଧାନୀ ଘୋଷଣା ହେବା ପରେ ରାଜଧାନୀର ଶୋଭା ବଢ଼ାଇବାକୁ ଅନେକ ପଦକ୍ଷେପ ନିଆଯାଇଥିଲା । ଆଉ ଧିରେଧିରେ ବଦଳିଥିଲା ରାଜଧାନୀର ରଙ୍ଗ । ପ୍ରଶସ୍ତ ସଡକ, ସୁଉଚ୍ଚ ଅଟ୍ଟାଳିକା, ପାର୍କ, ସପିଂ ମଲ୍, ରେଳ ଷ୍ଟେସନ ଓ ବିମାନବନ୍ଦର ନିର୍ମାଣ ହେଲା । ସଚିବାଳୟ, ବିଧାନସଭା, ରାଜଭବନ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟ ରହିଲା ଭୁବନେଶ୍ୱରରେ । ଆଉ ଏସବୁ ସହିତ ନିର୍ମାଣ କରାଗଲା ଅନେକ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତୀ । ଏକମାତ୍ର ଉଦ୍ଦେଶ୍ୟ ଥିଲା ପୂଜ୍ୟପୂଜା । ଛକ ଛକରେ ଓଡିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ବସାଗଲା । ଯାହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାଇତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ରହିଲା ।

ସହରର ପ୍ରମୁଖ ଛକ ଓ ପ୍ରବେଶ ପଥରେ ଏଭଳି ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ପୁରୀ ଆଡୁ ଭୁବନେଶ୍ୱରକୁ ଆସୁ ଆସୁ କଳ୍ପନା ଛକରେ ବକ୍ସି ଜଗବନ୍ଧୁ ଓ ଚାଖୀ ଖୁଣ୍ଟିଆ, ରାଜଭବନ ଛକରେ ଉକ୍ରଳଗୌରବ ମଧୁସୂଦନ ଦାସ, ରସୁଲଗଡ ଛକରେ ସୁଭାଷ ବୋଷ ଏବଂ ଓୟୁଏଟି ଛକରେ ଉକ୍ରଳଗୌରବ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ଭଳି ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ବସାଯାଇଥିଲା ।

କିନ୍ତୁ ସମୟ ବଦଳିବା ସହ ଆଜି ବଦଳିଯାଇଛି ପରିବେଶ । କେବଳ ଆବିର୍ଭାବ ଆଉ ତିରୋଧାନର ତାରିଖରେ ଜିଉଁଛନ୍ତି ଏମାନେ । ମୁଣ୍ଡ ଉପରେ ଛାତ ନାହିଁ । ତେଣୁ ପ୍ରତିମୂର୍ତ୍ତୀର ମୁଣ୍ଡରେ ଚଢ଼େଇ ବସି ମଳତ୍ୟାଗ କରୁଛନ୍ତି । ପକ୍ଷୀମଳରେ ଧଳାପଡିଗଲାଣି ବରପୁତ୍ରଙ୍କ ଶରୀର । ଜନ୍ମଦିନ ବା ତିରୋଧାନ ଦିବସ ଆସିଲେ ନେତାମନ୍ତ୍ରୀ, ସ୍ୱେଚ୍ଛାସେବୀ ସମସ୍ତେ ଧାଇଁ ଆସନ୍ତି ଏହି ମୂର୍ତ୍ତୀପାଖକୁ ପୂଜ୍ୟପୂଜା କରିବା ପାଇଁ । ଓଜନିଆ ମୋଟା ଫୁଲମାଳ ସାଙ୍ଗରେ ଆଣି ଟଣାଓଟରା ହୁଅନ୍ତି ମହାପୁରୁଷଙ୍କ ବେକରେ ଗଳାଇବା ପାଇଁ । ଆଉ ତା ପରେ, କାହାରି ମନେ ପଡନ୍ତି ନାହିଁ ଏହି ଯୁଗସ୍ରଷ୍ଟାମାନେ । ବର୍ଷକୁ ଥରେ ଅଧେ ବେକରେ ପଡୁଥିବା ସେ ଫୁଳମାଳ ଶୁଖି ବା ବର୍ଷାପାଣିରେ ପଚିଶଢ଼ି ସେହି ପଥର ମୂର୍ତ୍ତୀରେ ମିଶିଯାଏ ସିନା ହେଲେ କାହାରି ନଜର ପଡେନି । ଯାହା ବ୍ୟଥିତ କରିଛି ବୁଦ୍ଧିଜୀବିଙ୍କୁ । ବଞ୍ଚିଥିବା ବେଳେ ଦେଶପାଇଁ ସାରା ଜୀବନ ଉତ୍ସର୍ଗ କରିଥିବା ଏହି ବରପୁତ୍ର ମୃତ୍ୟୁ ପରେ ବି ସମ୍ମାନ ଉଚିତ ସମ୍ମାନ ପାଉନଥିବା ବୁଦ୍ଧିଜୀବି ମହଲରେ ଆଲୋଡନ ସୃଷ୍ଟି କରିଛି । ସରକାର ଓ ଜନପ୍ରତିନିଧୀ ଏନେଇ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି ।

Comments are closed.